Hot Posts

6/recent/ticker-posts

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

ନୂଆପଡ଼ା, ୨୭/୦୬ ( ପରମେଶ୍ୱର ମେହେର ) : ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମର କଡ଼ାକଡ଼ି ଅନୁପାଳନ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଅଭିଯାନ ଅନ୍ତର୍ଗତ ଆଜି ନୂଆପଡ଼ା ବ୍ଲକ ଅଧୀନ ଗୋତମା ଛକ ନିକଟରେ ଥିବା ଏକ ହୋଟେଲ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ହୋଟେଲ ନିକଟରେ ଖୋଲା ସ୍ଥାନରେ ଏକ କ୍ୱିଣ୍ଟାଲରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ଗଦା କରାଯାଇଥିବା ଜଣାପଡ଼ିଥିଲା। ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ ଉଲ୍ଲଂଘନ ଅଭିଯୋଗରେ ହୋଟେଲ ମାଲିକ ବିଜୟ କୁମାର ସାହୁଙ୍କ ଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ଯେ, ଖୋଲା ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ୟ ଫିଙ୍ଗିବା କିମ୍ବା ପୋଡ଼ିବା ଆଇନଗତ ଅପରାଧ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ପ୍ରଚଳିତ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମ-୨୦୨୬ ଅନୁଯାୟୀ ଏପରି ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକ କ୍ଷେତ୍ରରେ ବିଦ୍ୟୁତ ଓ ଜଳ ସଂଯୋଗ ବିଚ୍ଛିନ୍ନ କରିବା ସମେତ କଡ଼ା ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ାଉରେ ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଟ୍ରେଜେରୀ ଅଫିସର ମଧୁସ୍ମିତା ପରିଜା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍. ଗୀତା, ବିଡିଓ ରୋହିତ କୁମାର ଭୋଇ, ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ପାଣିଗ୍ରାହୀ, ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା, ବ୍ଲକ ସଂଯୋଜକ ଅବିନାଶ ମହାପାତ୍ର ଏବଂ ଆମସେନା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବ୍ୟବସାୟୀ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛ ନୂଆପଡ଼ା ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି।