ବୁଲିଯିବା ହେଲା କାଳ; ବାଇକ ଓ ସାଇକେଲ ଧକ୍କାରେ ଜଣେ ମୃତ ଅନ୍ୟଜଣେ ଗୁରୁତର
ଭଞ୍ଜନଗର, ୧୫/୦୬ ( ଜେ.କେ ପଟ୍ଟନାୟକ ) : ବାଇକ ଓ ସାଇକେଲ ଧକ୍କାରେ ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଜାମପଲ୍ଲୀର ଚନ୍ଦନ ଗୌଡ(୧୯)। ଅନ୍ୟପଟେ ସାଇକେଲ ଚାଳକ ଆହତ ହୋଇ ଭଞ୍ଜନଗର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଭଞ୍ଜନଗର ପୋଲିସ ଘଟଣ ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତ ଯୁବକ ଜଣକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଡ୍ରାଇଭର ବାବୁଲା ଗୌଡଙ୍କ ପୁତ୍ର ଅଟନ୍ତି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ଚନ୍ଦନ ଚକରାଘାଟି ବୁଲିଯିବାକୁ ବାହାରିଥିଲେ। ନିଜ ଗ୍ରାମ ଠାରୁ ମାତ୍ର ୧ କିମି ଦୂର ତୁଲସୀପଲ୍ଲୀ ଠାରେ ଚନ୍ଦନ ବାଇକ୍ ଆଗକୁ ହଠାତ୍ ଜଣେ ସାଇକେଲ ଚାଳକ ଚାଲି ଆସିଥିଲେ। ଫଳରେ ଉଭୟ ଆହତ ହୋଇଥିଲେ। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚନ୍ଦନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସାଇକେଲ ଚାଳକ ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।