ସରପଞ୍ଚଙ୍କ ଅଭିଯୋଗ: ଜାତିଆଣ ଆକ୍ଷେପ ଓ ଧମକ ଦେଇ ସରକାରୀ ଫାଇଲ୍ ନଷ୍ଟ କଲେ କନିଷ୍ଠ ଯନ୍ତ୍ରୀ!
ଲଇକେରା, ୧୩/୦୬ ( ନବଦୂତ ) : ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମପଞ୍ଚାୟତର ସରପଞ୍ଚ ସୁକାନ୍ତି ଜୟପୁରିଆ ଗ୍ରାମପଞ୍ଚାୟତର କନିଷ୍ଠ ଯନ୍ତ୍ରୀ (ଜେଇ) ସାରିକା ସ୍ୱାଇଁଙ୍କ ବିରୋଧରେ ଜାତିଆଣ ଆକ୍ଷେପ, ଅପମାନଜନକ ବ୍ୟବହାର, ଧମକ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଏବଂ ସରକାରୀ ଦଲିଲ୍ ନଷ୍ଟ କରିବା ନେଇ ଲଇକେରା ଥାନାରେ ଏତଲା ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସରପଞ୍ଚ ସୁକାନ୍ତି ଜୟପୁରିଆ ପଞ୍ଚାୟତର ଏକ ଉନ୍ନୟନମୂଳକ ପ୍ରକଳ୍ପର ବିଲ୍ ଓ ସମ୍ପର୍କିତ ଫାଇଲ୍ ସମ୍ବନ୍ଧରେ ଆଲୋଚନା ପାଇଁ କନିଷ୍ଠ ଯନ୍ତ୍ରୀ ସାରିକା ସ୍ୱାଇଁଙ୍କୁ ଭେଟିଥିଲେ। ଏହି ସମୟରେ କୌଣସି କାରଣ ବିନା ତାଙ୍କ ସହ ଅଶୋଭନୀୟ ବ୍ୟବହାର କରାଯାଇଥିବା ସହ ଜାତିକୁ ଆଧାର କରି ଅପମାନସୂଚକ ମନ୍ତବ୍ୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏତଲାରେ ଆହୁରି ଉଲ୍ଲେଖ ରହିଛି ଯେ, ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୁରୁତର ପରିଣାମ ଭୋଗିବାକୁ ଧମକ ଦିଆଯାଇଥିଲା। ଏହାସହ ତାଙ୍କ ପାଖରେ ଥିବା ସରକାରୀ ବିଲ୍ ଓ ଫାଇଲ୍କୁ ଜବରଦସ୍ତି ନେଇ ଚିରି ନଷ୍ଟ କରିଦେଇଥିବା ଅଭିଯୋଗ ମଧ୍ୟ କରାଯାଇଛି। ଫଳରେ ସରକାରୀ ଦଲିଲ୍ କ୍ଷତିଗ୍ରସ୍ତ ହେବା ସହ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ ହୋଇଥିବା ସରପଞ୍ଚ କହିଛନ୍ତି। ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଭାବେ ଏଭଳି ବ୍ୟବହାର ତାଙ୍କ ସାମାଜିକ ମର୍ଯ୍ୟାଦା ଏବଂ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାକୁ ଗୁରୁତର ଅପରାଧ ବୋଲି ଉଲ୍ଲେଖ କରି ସେ ତୁରନ୍ତ ଓ ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ନିଜ ପରିବାରର ସୁରକ୍ଷା ଦାବି କରିଛନ୍ତି। ଏହି ଅଭିଯୋଗକୁ ନେଇ ଲଇକେରା ଥାନା ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ କ’ଣ ଗ୍ରହଣ କରାଯିବ, ତାହା ଉପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।