Hot Posts

6/recent/ticker-posts

ଜୟପୁର ପୋଲିସର ବଡ଼ ସଫଳତା, ଏକା ବେଳେକେ 6 ଅଭିଯୁକ୍ତ ଗିରଫ

ଜୟପୁର, ୨୦/୦୬ ( ଏ. ଭେଙ୍କଟ ରାଓ ) : ଜୟପୁର ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ମଧ୍ୟରେ ଘଟିଥିବା ଚୋରି ମାମଲାର ପର୍ଦାଫାସ କରି ୪ଟି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜୟପୁର ସହରର ବିଭିନ୍ନ ସ୍ଥାନରେ ଘଟିଥିବା ମନ୍ଦିର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ଚୋରି ଘଟଣାର ତଦନ୍ତ କରି ଏହି ସଫଳତା ହାସଲ କରିଛି ପୋଲିସ। ପ୍ରଥମ ମାମଲାରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ଚୋରି ହୋଇଥିବା ଲୁହା ଖଟ, ପ୍ଲାଷ୍ଟିକ ଚେୟାର, କାଠ ଚେୟାର ସହ ଏକ ଅଟୋ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେହିପରି ବାଙ୍କେଶ୍ୱର ମହାଦେବ ମନ୍ଦିର ଓ ଗୋପୀନାଥ ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଟଙ୍କା ଓ ଦୁଇଟି ରୂପା ମୁକୁଟ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାଙ୍କ ଠାରୁ ନଗଦ ଟଙ୍କା ଓ ଚୋରି ସାମଗ୍ରୀ ଜବତ ହୋଇଛି। ଏହାଛଡ଼ା ଗାନ୍ଧୀ ଛକ ସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରେ ଚୋରି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ଧରାଯାଇଛି। ସେମାନଙ୍କ ଠାରୁ ନଗଦ ଟଙ୍କା ଓ କମ୍ପାନୀ କ୍ୟାଶ ଟୋକେନ ଜବତ ହୋଇଛି। ଅନ୍ୟ ଏକ ଘଟଣାରେ କେନାଲ ରୋଡ଼ ଅଞ୍ଚଳର ଏକ ଦୋକାନରୁ ଚୋରି ହୋଇଥିବା ୬ ଲକ୍ଷ ୮୫ ହଜାର ଟଙ୍କା ମଧ୍ୟରୁ ୨ ଲକ୍ଷ ୭୫ ହଜାର ୫୦୦ ଟଙ୍କା ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକ ଓ ଜଣେ ନାବାଳକଙ୍କୁ ପୋଲିସ ଗିରଫ କରିଛି। ମୋଟ ୪ଟି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଓ ନଗଦ ଅର୍ଥ ଉଦ୍ଧାର ହୋଇଥିବା ଜୟପୁର ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି।