ଫୁଲବାଣୀ, ୨୨/୦୫ ( ବାଳକୃଷ୍ଣ କହଁର ) : ସୂଚନା ଓ ଲୋକସମ୍ପର୍କ ବିଭାଗର କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ କନ୍ଧମାଳ ଜିଲ୍ଲାର ଦୁଇଦିନିଆ ଗସ୍ତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ପ୍ରଧାନ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଫୁଲବାଣୀସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକା ଫୁଲତୁଳା ଦେଇ ଉପନିର୍ଦ୍ଦେଶକ ଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସେମାନେ କାର୍ଯ୍ୟାଳୟର ମାସିକ କାର୍ଯ୍ୟ ବିବରଣୀ, ପ୍ରେସ୍ କ୍ଲିପିଂ ଓ ଫିଲ୍ଡ ରିପୋର୍ଟ ସମ୍ପର୍କରେ ଉପନିର୍ଦ୍ଦେଶକ ଙ୍କୁ ଅବଗତ କରାଇଥିଲେ। ଉପନିର୍ଦେଶକ ଶ୍ରୀ ପ୍ରଧାନ କାର୍ଯ୍ୟାଳୟ ର ବିଭିନ୍ନ ଫାଇଲ୍ ଓ ରେଜିଷ୍ଟର ଯାଞ୍ଚ କରିବା ସହ ସରକାରୀ ଯୋଜନାର ପ୍ରଚାର-ପ୍ରସାର, ସୋସିଆଲ ମିଡିଆ ହ୍ୟାଣ୍ଡଲିଂ, ଗଣମାଧ୍ୟମ ସହ ସମନ୍ୱୟ ଏବଂ ଜନଶିକାୟତ ସମାଧାନ ସମ୍ପର୍କରେ ସମୀକ୍ଷା କରିଥିଲେ। କାର୍ଯ୍ୟ ସମ୍ପାଦନ ସମୟରେ କ୍ଷେତ୍ର କର୍ମଚାରୀ ମାନେ ସମ୍ମୁଖୀନ ହେଉଥିବା ବ୍ୟବହାରିକ ସମସ୍ୟା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ଉପନିର୍ଦେଶକ ସ୍ପଷ୍ଟ ଭାବେ କହିଥିଲେ ରାଜ୍ୟ ସରକାର ଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସୂଚନା ୨୪ ଘଣ୍ଟା ଭିତରେ ଲୋକଙ୍କ ପାଖରେ ପହଞ୍ଚିବା ଆମର ପ୍ରାଥମିକ ଦାୟିତ୍ୱ। ପ୍ରଚାର କାର୍ଯ୍ୟରେ ବିଳମ୍ବ କିମ୍ବା ଅବହେଳା ହେଲେ ସମ୍ପୃକ୍ତ କର୍ମଚାରୀ ଙ୍କ ବିରୋଧରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ।ସେ ଆହୁରି କହିଥିଲେ ଯେ ସମସ୍ତ ପ୍ରେସ୍ ବିଜ୍ଞପ୍ତି ଓ ଫଟୋ ନିର୍ଦ୍ଧାରିତ ସମୟ ରେ ମୁଖ୍ୟାଳୟ ଓ ଗଣମାଧ୍ୟମ କୁ ପଠାଇବାକୁ ହେବ। ଏହି ଅବସର ରେ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟିକା ଲିନା ଦିଗାଲ, କିରାଣୀ-ସହ-ଗ୍ରନ୍ଥାଗାରିକ ଆନନ୍ଦ କହଁର ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟାଳୟ ର ବିଭିନ୍ନ ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ଉପନିର୍ଦ୍ଦେଶକ ବିଭାଗୀୟ ନିର୍ଦେଶାଳୟ କୁ ଲିଖିତ ପ୍ରସ୍ତାବ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
