ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ଜଳାଭାବ ଏବଂ ମନୁଷ୍ୟ କୃତ ମରୁଡ଼ି ନେଇ ଜଳ ସତ୍ୟାଗ୍ରହ I
ନୂଆପଡା, ୧୩/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପତୋରା ଅପର ଯୋଙ୍କ ଜଳସେଚନ ପ୍ରକଳ୍ପରେ ଦେଖାଦେଇଥିବା ଗଭୀର ଜଳାଭାବ ଏବଂ ମନୁଷ୍ୟକୃତ ମରୁଡ଼ି ପରିସ୍ଥିତିକୁ ନେଇ ଆଜି ଏକ ପ୍ରତୀକାତ୍ମକ “ଜଳ ସତ୍ୟାଗ୍ରହ” ଆନ୍ଦୋଳନ କରାଯାଇଛି। ଦୀର୍ଘଦିନ ଧରି ପ୍ରଶାସନର ଅବହେଳା, ଜଳ ପରିଚାଳନାରେ ଅସଫଳତା ଏବଂ ଅନିୟମିତତା କାରଣରୁ ପତୋରା ଡ୍ୟାମ୍ ଅଞ୍ଚଳରେ ଚାଷୀମାନେ ଭୟାବହ ଜଳସଂକଟର ସମ୍ମୁଖୀନ ହୋଇଛନ୍ତି। ଫଳରେ ହଜାର ହଜାର ଏକର ଚାଷଜମିରେ ଥିବା ଫସଲ ନଷ୍ଟ ହୋଇ ଚାଷୀମାନଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚାଷୀଙ୍କ ଦୁଃଖ ଓ ଅସନ୍ତୋଷକୁ ସାମ୍ନାକୁ ଆଣିବା ପାଇଁ କଂଗ୍ରେସ କର୍ମୀମାନେ ପତୋରା ଡ୍ୟାମ୍ ପାଣି ଭିତରେ ବସି ପ୍ରତୀକାତ୍ମକ ଜଳ ସତ୍ୟାଗ୍ରହ କରିଥିଲେ। ଆନ୍ଦୋଳନ ସମୟରେ “ଚାଷୀଙ୍କୁ ନ୍ୟାୟ ଦିଅ”, “ଜଳାଭାବ ପାଇଁ ଦାୟୀଙ୍କୁ ଦଣ୍ଡ ଦିଅ”, “କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କର” ଭଳି ସ୍ଲୋଗାନ ଦେଇ ପରିବେଶକୁ ଉତ୍ତାଳ କରିଥିଲେ। ଆନ୍ଦୋଳନକାରୀମାନେ କହିଥିଲେ ଯେ, ପ୍ରଶାସନର ଅଦୂରଦର୍ଶିତା ଏବଂ ଦାୟିତ୍ୱହୀନତା ପାଇଁ ଏହି ମନୁଷ୍ୟକୃତ ମରୁଡ଼ି ସୃଷ୍ଟି ହୋଇଛି, ଯାହାର ଭାର ଏବେ ନିର୍ଦ୍ଦୋଷ ଚାଷୀମାନେ ବହନ କରୁଛନ୍ତି I ଆନ୍ଦୋଳନକୁ ସମ୍ବୋଧିତ କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ କହିଥିଲେ ଯେ, ଚାଷୀ ହେଉଛନ୍ତି ଦେଶର ମୂଳ ଭିତ୍ତି, କିନ୍ତୁ ସରକାର ଓ ପ୍ରଶାସନ ତାଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେ ଚେତାବନୀ ଦେଇ କହିଥିଲେ ଯେ, ଯଦି ଶୀଘ୍ର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯଥୋଚିତ କ୍ଷତିପୂରଣ ଦିଆଯିବ ନାହିଁ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଏହି ଜଳ ସତ୍ୟାଗ୍ରହରେ ଦଳର ବହୁ କର୍ମୀ, ଚାଷୀ ଓ ସାଧାରଣ ଲୋକମାନେ ଯୋଗଦେଇ ଚାଷୀଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରି ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।