ବୁଢୀକଣରେ ଭକ୍ତିମୟ ପରିବେଶ : ଅଷ୍ଟପ୍ରହରୀ ନାମ ଯଜ୍ଞରେ ଝୁମିଲେ ଶ୍ରଦ୍ଧାଳୁ
ଖଜୁରୀପଡ଼ା, ୧୮/୫ (ଅଚ୍ୟୁତ ଜାନୀ) : ବୈ।ଦ୍ଧ ଜିଲ୍ଲା ପୁରୁଣା କଟକ ବ୍ଲକ ଅନ୍ତର୍ଗତ ଧଳପୁରର ବୁଢୀକଣ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ତା-୧୨/୫/୨୦୨୬ ରିଖ ସକାଳ ୬ ଘଣ୍ଟିକା ସମୟରେ ଭବ୍ୟ କଳସ ଯାତ୍ରା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୮ ଘଣ୍ଟିକାରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା । ଗ୍ରାମରେ ହରିନାମ ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା ।ଏହି ନାମ ଯଜ୍ଞରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀମାନେ ଯୋଗଦେଇ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଦଳପଡା ପଞ୍ଚାୟତ ଅନ୍ତର୍ଗତ ଲମ୍ବାବାଡି ଗ୍ରାମର ଭଗବତ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବୁଢିକଟା ନାମ ସଂକୀର୍ତ୍ତନ ମଣ୍ଡଳୀ, ବଘୁଆବାଟା ସଂକୀର୍ତ୍ତନ ମଣ୍ଡଳୀ, ଫକିରପୁର ନାମ ସଂକୀର୍ତ୍ତନ ମଣ୍ଡଳୀ ଓ ରାମ୍ଭିକଟା ନାମ ସଂକୀର୍ତ୍ତନ ମଣ୍ଡଳୀ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ନାମ ସଂକୀର୍ତ୍ତନକୁ ସୂଚାରୁରୂପେ ପରିଚାଳନା କରିଥିଲେ ।ବିଶେଷ କରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦଳପଡା ପଞ୍ଚାୟତ ଲମ୍ବାବାଡି ଭଗବତ ମହିଳା ସଂକୀର୍ତ୍ତନ ମଣ୍ଡଳୀ ତାଙ୍କର ଦମଦାର କଳାକୃତି ଓ ଭକ୍ତିଭରା ପରିବେଷଣ ମାଧ୍ୟମରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ଜିତିଥିଲେ । ସେମାନଙ୍କର ସୁନ୍ଦର ପ୍ରଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି ।