Hot Posts

6/recent/ticker-posts

ଥୁଆମୂଳ ରାମପୁରରେ ଗଠିତ ହେଲା "ମା ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ (MPMJA)" ଗଠିତ,

ଥୁଆମୂଳ ରାମପୁର, ୧୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ ଆଗଧାଡ଼ିର ପ୍ରିଣ୍ଟ ମିଡିଆ ସାମ୍ବାଦିକମାନଙ୍କୁ ନେଇ ଏକ ନୂତନ ବୃତ୍ତିଗତ ସଂଘ ଗଠିତ ହୋଇଯାଇଛି। ମାଁ ମାଣିକେଶ୍ୱରୀଙ୍କ ପବିତ୍ର ପୀଠର ଗାରିମାକୁ ଆଧାର କରି ସର୍ବସହମତି କ୍ରମେ ଏହି ସଂଘର ନାମ "ମା ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ, ଥୁଆମୂଳ ରାମପୁର" (MPMJA) ରଖାଯାଇଛି। ରବିବାର ଦିନ ସ୍ଥାନୀୟ ବରଙ୍ଗା ତୋଟାଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଲକର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ ଏହି ନୂତନ ସଂଘଟନର ସୂତ୍ରପାତ କରିଛନ୍ତି। ପୂର୍ବରୁ ଗଠିତ ବିଭିନ୍ନ ସାମ୍ବାଦିକ ସଂଘର ସମୁଦାୟ ୧୪ ଜଣ ସକ୍ରିୟ ସଦସ୍ୟଙ୍କୁ ଏକାଠି କରି ଏହି ସଂଗଠନ ମାଧ୍ୟମରେ ସାମ୍ବାଦିକମାନଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଏକତା ପ୍ରତିଷ୍ଠା କରାଯାଇଛି। ବୈଠକରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ଓ ସର୍ବସହମତି ଆଧାରରେ ସଂଘର ସୁପରିଚାଳନା ପାଇଁ ନୂତନ ପଦାଧିକାରୀ ଚୟନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ଏଥିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଳଭଦ୍ର ବାଗଙ୍କୁ ସଂଘର ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଶ୍ରୀ ରବି ନାରାୟଣ ସିଂଙ୍କୁ ଉପସଭାପତି, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ସମ୍ପାଦକ, ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)ଙ୍କୁ ସହ-ସମ୍ପାଦକ ଏବଂ ଶ୍ରୀ ଭାନୁପ୍ରତାପ ମୁଣ୍ଡଙ୍କୁ କୋଷାଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଅବସରରେ ଚୟନ ହୋଇଥିବା ସମସ୍ତ ନବନିର୍ବାଚିତ ପଦାଧିକାରୀମାନେ ଅଞ୍ଚଳର ହିତ ସାଧନ ପାଇଁ ମାଁ ମାଣିକେଶ୍ୱରୀ ଦେବୀଙ୍କ ନାମରେ ସଂକଳ୍ପ କରି ଗୁରୁତ୍ୱପୂର୍ଣ୍ଣ ଶପଥ ପାଠ କରିଥିଲେ। ଗଣମାଧ୍ୟମର ଗୋପନୀୟତା ରକ୍ଷା କରିବା, ଅର୍ପିତ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇବା ଏବଂ ସର୍ବସାଧାରଣଙ୍କ ମୌଳିକ ସମସ୍ୟା ଓ ସୁବିଧା-ଅସୁବିଧା ସମୟରେ ଜନତାର ପ୍ରକୃତ ସ୍ୱର ସାଜି ନିଷ୍ଠାର ସହ ସାମ୍ବାଦିକତା କରିବା ପାଇଁ ସମସ୍ତେ ବଦ୍ଧପରିକର ବୋଲି ମତବ୍ୟକ୍ତ କରିଥିଲେ। ଏହି ସାରସ୍ୱତ ତଥା ସାଂଗଠନିକ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରିଆ, ଅଙ୍ଗଦ ନାଏକ, ଯୁବ ସାମ୍ବାଦିକ ତଥା ଆଇନଜୀବୀ ମନୋରଞ୍ଜନ ନାଏକ, ଯୁବ ସାମ୍ବାଦିକ ବୀର ବଜ୍ରଙ୍ଗ ଚାରୁ ମଜୁମଦାର ନାଏକ, ଯୁବ ସାମ୍ବାଦିକ ରଥ ଦୁରିଆ, ସାମ୍ବାଦିକ ପ୍ରଶାନ୍ତ ନାଏକ, ସାମ୍ବାଦିକ ସୁଶାନ୍ତ ନାଏକ ଏବଂ ସୁଶାନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ସ୍ୱାଗତ କରିବା ସହ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ସମଗ୍ର ଥୁଆମୂଳ ରାମପୁର ଅଞ୍ଚଳବାସୀଙ୍କୁ ଏକ ବିଶେଷ ନିବେଦନ ତଥା ବାର୍ତ୍ତା ଦିଆଯାଇଛି। ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କର ଯାହା ବି ସମସ୍ୟା ରହିବ, ସେସବୁର ସତ୍ୟତା ଓ ତଥ୍ୟ ଆଧାରରେ ଖବର ପରିବେଷଣ କରିବା ପାଇଁ ସଂଘ ସର୍ବଦା ଯତ୍ନବାନ ହେବ। ଜନସାଧାରଣଙ୍କ ସମସ୍ତ ମୌଳିକ ସମସ୍ୟା ଉପରେ ସଂଘ ଏକ ସଶକ୍ତ ସ୍ୱର ସାଜି ସରକାର ଏବଂ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇବାକୁ ନିଜର ପରମ କର୍ତ୍ତବ୍ୟ ମନେ କରିବ। ଗଣମାଧ୍ୟମର ସଠିକ୍ ଭୂମିକା ଓ ସାମ୍ବାଦିକତାର ମୂଲ୍ୟବୋଧକୁ ଆଗାମୀ ଦିନରେ ଅକ୍ଷୁର୍ଣ୍ଣ ରଖାଯିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି। କେବଳ ସମ୍ବାଦ ପ୍ରସାରଣ ନୁହେଁ, ବରଂ ସଂଘ ପକ୍ଷରୁ ଅଞ୍ଚଳରେ ବିଭିନ୍ନ ଜନକଲ୍ୟାଣକାରୀ ସମାଜସେବା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ ବୋଲି ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ନିଷ୍ପତ୍ତି ନିଆଯାଇଛି। ବୈଠକର ଶେଷ ପର୍ଯ୍ୟାୟରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସାମୂହିକ ଭାବେ ଶପଥ ନେଇ ସଂଘର ଭବିଷ୍ୟତକୁ ସୁଦୃଢ଼ ଓ ଉଜ୍ଜ୍ୱଳ କରିବା ପାଇଁ ସଙ୍କଳ୍ପ କରିଥିଲେ। ସାମ୍ବାଦିକମାନଙ୍କ ମଧ୍ୟରେ ସଂହତି ବଜାୟ ରଖିବା, ସମ୍ପୂର୍ଣ୍ଣ ନିଷ୍ପକ୍ଷ ସମ୍ବାଦ ପରିବେଷଣ କରିବା ଏବଂ ଅବହେଳିତ ତଥା ଦୁର୍ଗମ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ସରକାର ଓ ପ୍ରଶାସନର ନଜରକୁ ଆଣି ପ୍ରତିକାର କରିବା ଦିଗରେ "ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ" ଆଗାମୀ ଦିନରେ ଏକ ସକ୍ରିୟ ଓ ପ୍ରଭାବଶାଳୀ ମାଧ୍ୟମ ସାଜିବ ବୋଲି ବୈଠକରେ ଦୃଢ଼ ଆଶା ପ୍ରକଟ କରାଯାଇଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ