Hot Posts

6/recent/ticker-posts

ତନରଡ଼ା କ୍ୟାମ୍ପରେ ହାବିଲଦାର ଙ୍କ ଆତ୍ମହତ୍ୟା

ଭଞ୍ଜନଗର,୧୩/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା (୩୪) । ମଙ୍ଗଳବାର ରାତିରେ କ୍ୟାମ୍ପ ଠାରୁ ୧ କିମି ଦୂରରେ ଠାବ କରାଯାଇଥିଲା। ଏହାପରେ ପୋଲିସ ଗୁରୁବାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ୍ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ କ୍ୟାମ୍ପରେ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା। ଏହାପରେ ଶବକୁ ତାଙ୍କ ଗ୍ରାମ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମକୁ ପଠାଇ ଦିଆଯାଇଛି। ଋଣଭାର ସହ ଝିଅର ସ୍ୱାସ୍ଥ୍ୟ କୁ ନେଇ ସେ ସର୍ବଦା ଚିନ୍ତିତ ରହୁଥିଲେ । ଏହିଭଳି ପରିସ୍ଥିତିରେ ସେ ଜୀବନ ହାରି ଦେଇଥିବା ସୂଚନା ରହିଛି । ଦେବାଶିଷ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଘଟଣାରୁ ପ୍ରକାଶ ଯେ ଦେବାଶିଷ ୨୦୧୧ ରୁ ଆଇଆରବି ୮ମ ସ୍ୱତନ୍ତ୍ର ବାଟାଲିୟନରେ ଯବାନ ଭାବେ କାର୍ଯ୍ୟକରୁଥିଲେ । ୨୦୨୦ ରେ ସେ ହାବିଲଦାରକୁ ପଦୋନ୍ନତି ପାଇ ତନରଡ଼ା କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ତାଙ୍କ ଝିଅର ସ୍ୱାସ୍ଥ୍ୟ ଭଲ ରହୁନଥିଲା । ଏଥିସହ ଅନ୍ୟାନ୍ୟ କାରଣ ଯୋଗୁଁ ସେ ବିଭିନ୍ନ ଆଡୁ ଋଣ ଆଣି ଦେବାଳିଆ ଅବସ୍ଥାକୁ ଚାଲି ଆସିଯାଇଥିଲେ। ଯାହାକୁ ନେଇ ସେ ବିଗତ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ କ୍ୟାମ୍ପରୁ ସାଇକେଲ ମାଗି ବଜାରକୁ ଯାଉଛି ବୋଲି କହିଥିଲେ । ରାତିରେ କ୍ୟାମ୍ପକୁ ଫେରିବାରେ ବିଳମ୍ବ ହେବାରୁ ଦାୟିତ୍ୱରେ ଥିବା ଅଧିକାରୀମାନେ ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ଫୋନ୍ ସୁଇଚ ଅପ୍ ଥିଲା। ସେ କାଳେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିବ ଭାବି କର୍ମଚାରୀମାନେ ଦ୍ୱନ୍ଦରେ ରହିଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଦେବାଶିଷ କ୍ୟାମ୍ପକୁ ନଫେରିବାରୁ ଏହାପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ କ୍ୟାମ୍ପ ଠାରୁ କିଛି ଦୂରରେ ଥିବା ସରନାଳରେ ଦେବାଶିଷଙ୍କୁ ଅଚେତ୍ ଅବସ୍ଥାରେ ଠାବ କରାଯାଇଥିଲା । ସେ କାଳେ ବଞ୍ଚିଥିବ ଭାବି ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଥିଲେ। ଦେବାଶିଷ ଜଣେ ଭଦ୍ର ଏବଂ ମେଳାପୀ ଯବାନ ଥିଲେ । ତାଙ୍କର ହଠାତ୍ ବିୟୋଗକୁ ନେଇ କ୍ୟାମ୍ପରେ ଶୋକର ଛାୟା ଖେଳିଯାଇଛି।