Hot Posts

6/recent/ticker-posts

“ଜୁଭେଣ୍ଟିକା” ଅଭିଯାନରେ ଥୁଆମୂଳ ରାମପୁର ଥାନାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, ୦୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନା ପରିସରରେ ଓଡିଶା ପୋଲିସ ଓ ୟୁନିସେଫର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ ଚାଲିଥିବା ଶିଶୁ ସୁରକ୍ଷା ସଚେତନତା ଅଭିଯାନ “ଜୁଭେଣ୍ଟିକା” ଅଧୀନରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆଇଆଇସି କୈବଲ୍ଯ ସେଠ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କିଶୋର ଓ କିଶୋରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସମୟରେ ସାଇବର ସୁରକ୍ଷା, ଡିଜିଟାଲ ଅଧିକାର, ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଶିଶୁ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ଅନଲାଇନ ଠକେଇ, ସାଇବର ବୁଲିଙ୍ଗ, ଫେକ୍ ଆଇଡି ଏବଂ ସୋସିଆଲ ମିଡିଆର ବିଭିନ୍ନ ବିପଦରୁ କିପରି ସୁରକ୍ଷିତ ରହିବା, ସେନେଇ ଶିଶୁମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଦିଗ ହେଉଛି, ଶିଶୁମାନେ ପୋଲିସ ଅଧିକାରୀଙ୍କ ସହ ଖୋଲାମେଳା ଭାବେ ଆଲୋଚନା କରିଥିଲେ ଏବଂ ପ୍ରଥମ ଥର ପାଇଁ ଥାନାକୁ ଆସିବାର ନିଜ ଅନୁଭୂତି ମଧ୍ୟ ସେୟାର କରିଥିଲେ। ଅନେକ ଶିଶୁ କହିଥିଲେ ଯେ ପୋଲିସକୁ ନେଇ ସେମାନଙ୍କ ମନରେ ଥିବା ଭୟ ଆଜି ସମ୍ପୂର୍ଣ୍ଣ ଦୂର ହୋଇଯାଇଛି। ଏହି ପ୍ରୟାସ ମାଧ୍ୟମରେ ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ନୁହେଁ, ବରଂ ସମାଜର ସୁରକ୍ଷାରେ ଏକ ଭରସାଯୋଗ୍ୟ ବନ୍ଧୁ ବୋଲି ସନ୍ଦେଶ ଦିଆଯାଇଥିଲା। ଏହି ଅବସରରେ ଏସ୍ ଆଇ ସନ୍ତୋଷ କୁମାର ସେଠୀ, ଏସ୍ ଆଇ ସୁଶାନ୍ତ ପଣ୍ଡା, ଏସ୍ ଆଇ ଭାସ୍କର ଖୋସଲା, ଏ ଏସ୍ ଆଇ ନିତାଇପଦ ସରକାରଙ୍କ ସମେତ କନେଷ୍ଟବଳ ଶିବ ଶଙ୍କର ମାଝୀ, ପ୍ରତାପ ମାଝୀ ସଙ୍ଗୀତା ଦୁର୍ଗା ଓ ହୋମଗାର୍ଡ ତଥା ଆଇଆର ବାଟାଲିୟନ ର ସମସ୍ତ ଜବାନ୍ ଉପସ୍ଥିତ ଥିଲେ । ଚାଇଲ୍ଡ ୟୁନିଟର ଅଧିକାରୀମାନେ ଉପସ୍ଥିତ ରହି ଶିଶୁମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। କାର୍ଯ୍ଯକ୍ରମର ମୂଖ୍ଯ ଉଦ୍ଦେଶ୍ଯ ହେଲା ଶିଶୁମାନଙ୍କୁ ଅନଲାଇନ ଓ ଅଫଲାଇନ ଉଭୟ ପରିବେଶରେ ସୁରକ୍ଷିତ, ସଚେତନ ଏବଂ ଦାୟିତ୍ୱବାନ ରହିବାକୁ ପ୍ରେରିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ “ଜୁଭେଣ୍ଟିକା” ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ଓଡିଶା ପୋଲିସର ଡିଜିପିଙ୍କ ଦ୍ୱାରା ରାଜ୍ୟ ପୋଲିସ ମୁଖ୍ୟାଳୟରୁ କରାଯାଇଥିଲା।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ