Hot Posts

6/recent/ticker-posts

ରାଜ୍ୟ ରାଜପଥ-୨୬ ର ପ୍ରମୁଖ ଛକ 'ମୋଟେର': ହଜାର ହଜାର ଯାତ୍ରୀଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା

ଧର୍ମଗଡ଼, ୩୦/୦୫  ( ରିତେଶ କୁମାର ମୁଣ୍ଡ ) :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଯାତାୟତର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିବା 'ମୋଟେର ଛକ' ଏବେ ସରକାରୀ ଅବହେଳାର ଚରମ ନମୁନା ସାଜିଛି। ୨୬ ନମ୍ବର ରାଜ୍ୟ ରାଜପଥ ଉପରେ ଅବସ୍ଥିତ ଏହି ଛକଟି ଗୋଟିଏ ପଟେ ଭବାନୀପାଟଣା ରୁ ନବରଙ୍ଗପୁର ଓ ଜୟପୁରକୁ ସଂଯୋଗ କରୁଥିବା ବେଳେ, ଅନ୍ୟପଟେ ଏହା ମୁଖିଗୁଡା, ଥୁଆମୂଳ ରାମପୁର ଏବଂ ମହୁଲପାଟଣା ଅଞ୍ଚଳକୁ ଯୋଡ଼ୁଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ଛକ ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ପ୍ରତିଦିନ ଶତାଧିକ ବସ୍ ଏବଂ ଅନ୍ୟାନ୍ୟ ଯାନବାହନ ଏଠା ଦେଇ ଯାତାୟତ କରିଥାଏ। ଦୋକାନ ବଜାର ଏବଂ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଏଠାରେ ସବୁବେଳେ ପ୍ରବଳ ଭିଡ଼ ଜମି ରହିଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ, ଏଭଳି ଏକ ବ୍ୟସ୍ତବହୁଳ ବସ୍ ଷ୍ଟପ୍‌ରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଟିକିଏ ମଧ୍ୟ ନାହିଁ। ଏଠାରେ ନା ଅଛି ଏକ ସ୍ଥାୟୀ ଶୌଚାଳୟ, ନା ଅଛି ପିଇବା ପାଣିର ସୁବ୍ୟବସ୍ଥା। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, ବିଶେଷ କରି ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧାମାନେ ଶୌଚାଳୟ ଅଭାବରୁ ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏହି ପ୍ରଖର ଗ୍ରୀଷ୍ମ ପ୍ରବାହ ସମୟରେ ଟୋପାଏ ପିଇବା ପାଣି ପାଇଁ ଯାତ୍ରୀମାନଙ୍କୁ ଏଣେତେଣେ ଭଟକିବାକୁ ପଡ଼ୁଛି ଅଥବା ବାଧ୍ୟ ହୋଇ ଟଙ୍କା ଦେଇ ପାଣି ବୋତଲ କିଣିବାକୁ ପଡ଼ୁଛି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏହି ବସ୍ ଷ୍ଟପ୍‌ର ଭିତ୍ତିଭୂମି ସୁଧାରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଏହି ମୁଖ୍ୟ ଛକରେ ସ୍ୱଚ୍ଛ ପିଇବା ପାଣିର ପ୍ରକଳ୍ପ ଓ ଏକ ସୁଲଭ ଶୌଚାଳୟ ନିର୍ମାଣ କରିବାକୁ ଜନସାଧାରଣରେ ଦୃଢ଼ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି I