ବାଲେଶ୍ୱର, ୩୧/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମଧୁପୁରା ଗ୍ରାମରେ ବେଆଇନ ବାଲି ଚୋରି ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା। ପ୍ରକାଶ ପରେ ଜିଲ୍ଲା ଖଣି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। ଗତ ଏପ୍ରିଲ ୧୫ ତାରିଖ ରେ ଅଞ୍ଚଳବାସୀ ଙ୍କ ତରଫରୁ ବାଲି ମାଫିଆ ସିଦ୍ଧେଶ୍ୱର ଘୋଷ ଓରଫ ବାବୁନା ଘୋଷ ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଅଭଯୋଗ ର ଦେଢ଼ ମାସ ବିତିଲାଣି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି? ଖଣି ଅଧିକାରୀ କାହା ଚାପରେ? ଏଭଳି ମାଳ ମାଳ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଜିଲ୍ଲା ଖଣି ଅଧିକାରୀ ଜଗନ ବେହେରା, ବସ୍ତା ଜୁନିଅର ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା, ଜଳେଶ୍ୱର ଜୁନିଅର ଖଣି ଅଧିକାରୀ ତାପସ ବେହେରା ଶୁକ୍ରବାର ଆସି ଫଟୋ ଉଠାଇଲେ ତଦନ୍ତ କଲେ ଅଞ୍ଚଳ ବାସି ଭାବିଲେ ଏଥର କିଛି ହେବ, ହେଲେ ସବୁ ଯେମିତିକୁ ସେମିତି। ରାତି ହେଲେ ପୁଣି ବାଲି ଚୋରି ଚାଲିଛି। ଏହା କେବଳ ଲୋକ ଦେଖାଣିଆ ତଦନ୍ତ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ତଦନ୍ତରେ ଆସିଥିବା ଅଧିକାରୀ ବାଲି ଚୋରି ହୋଇଥିବା ଜାଣିପାରିଲେ, ତା’ପରେ ବି କାହିଁକି ଥାନାରେ ଅଭିଯୋଗ କରୁନାହାନ୍ତି? ଚର୍ଚ୍ଚା ହେଉଛି ଚୁରା ବାଲି ସିଣ୍ଡିକେଟ ର ମାଷ୍ଟର ମାଇଣ୍ଡ ଥିବା ବାବୁନା ଘୋଷ ହେଉଛି ଜିଲ୍ଲାର ଜଣେ ବିଡ଼ିଓ ଙ୍କ ପୁତୁରା ସେଥିପାଇଁ ଚାପରେ ହିଁ ଖଣି ବିଭାଗ ହାତ ବାନ୍ଧି ବସିଛି, ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣ ରେ ଦାବି ଉଠିଛି। ଓଡ଼ିଶା ଖଣିଜ ରିହାତି ନିୟମ 2004 ଅନୁଯାଇ ସ୍ପଷ୍ଟ କରାଯାଇଛି ଯେ, ବେଆଇନ ଖଣି ଖାଦାନ ଖନନ ଧରାପଡିଲେ ତୁରନ୍ତ ମାମଲା ରୁଜୁ କରି କାର୍ଯାନୁଷ୍ଠାନ ନେବାପାଇଁ ମାତ୍ର ଏଠି କିନ୍ତୁ ଓଲଟା।ଏହା ପଛରେ ଦୁଇଟି କାରଣ ହୋଇପାରେ। ପ୍ରଥମ ଖଣି ବିଭାଗ ସମ୍ପୂର୍ଣ୍ଣ ଅପାରଗ ଅଥର୍ବ ଦ୍ୱିତୀୟରେ ମୋଟା ଅଙ୍କର ଅର୍ଥ କାରବାର ଯଦି ତାହା ସତ, ତାହାଲେ ଜିଲ୍ଲାପାଳ କଣ ଜାଣି ପାରୁନାହାନ୍ତି? ଜିଲ୍ଲାର ମୁଖିଆ ଭାବେ ତାଙ୍କର ଦାୟିତ୍ୱ ନୁହେଁ କି ଖଣି ବିଭାଗକୁ ତାଗିଦ କରିବା? ଯଦି ଖଣି ଅଧିକାରୀ କାମ କରୁନାହାନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ବେଆଇନ ବାଲି ଚୋରି କେବଳ ରାଜସ୍ୱ ହାନି ନୁହେଁ। ଏହା ସୁବର୍ଣରେଖା ନଦୀର ଗତିପଥ ବଦଳାଉଛି, ବସ୍ତା ବାଲିଆପାଳ ବ୍ଲକର ୩୦ ରୁ ଉର୍ଦ୍ଧ ପଞ୍ଚାୟତ ବନ୍ୟା ବିପଦକୁ ଠେଲି ଦେଉଛି, ପରିବେଶ ନଷ୍ଟ କରୁଛି। ଆଉ ଏହି କଳା ଟଙ୍କାରେ ଅପରାଧ ସାମ୍ରାଜ୍ୟ ଚାଲୁଛି। ପ୍ରକାଶ ଥାଉକି ଉକ୍ତ ଚୁରା ବାଲି ଖାଦାନରୁ ୨ ଶହ କୋଟି ରୁ ଉର୍ଦ୍ଧ ଟଙ୍କା ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା l ତେଣୁ ଜିଲ୍ଲା ପ୍ରଶାସନ ଆଗରେ ଏବେ ଦୁଇଟି ରାସ୍ତା ପ୍ରଥମ ତୁରନ୍ତ ବାବୁନା ଘୋଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରି ପ୍ରମାଣ କରନ୍ତୁ ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ଦ୍ୱିତୀୟ ଚୁପ ବସି ପ୍ରମାଣ କରନ୍ତୁ ଯେ ନୂତନ ସରକାର ରେ ମାଫିଆ ରାଜ ଚାଲିଛି, ପ୍ରଶାସନ ନୁହେଁ। ଅଞ୍ଚଳବାସି ଉତ୍ତର ଚାହୁଁଛନ୍ତି। ଖଣି ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ନା କାହା ଚାପରେ ଏହା ସ୍ପଷ୍ଟ ହେବା ଦରକାର l ନଚେତ ଆଗାମୀ ଦିନରେ ଜନ ଆକ୍ରୋଶ ରାଜରାସ୍ତାକୁ ଓହ୍ଲାଇଲେ ତା’ର ଦାୟିତ୍ୱ କିଏ ନେବ?
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
