ଭାରତୀୟ ଟେନିସ ଭଲିବଲ ଦଳରେ ସିଂହପୁରର ସତ୍ୟଜିତ ସାହୁ : ଗାଁରେ ଖୁସିର ମାହୋଲ, ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବବିତା ମଲ୍ଲିକ
ବିଂଝାରପୁର, ୨୩/୫ (ପ୍ରଦୀପ କୁମାର ମଲ୍ଲିକ) : ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ହୋଇଯାଇଥିବା ଏକାଦଶତମ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଭଲିବଲ ଦଳରେ ଓଡ଼ିଶାରୁ ତିନିଜଣ ଖେଳାଳି ସ୍ଥାନ ପାଇଥିବାବେଳେ, ସେମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ଗ୍ରାମର ଯୁବ ଖେଳାଳି ସତ୍ୟଜିତ ସାହୁ (୨୧) ଭାରତୀୟ ଦଳରେ ସ୍ଥାନ ପାଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି କ୍ରୀଡାରେ ଭାରତ ପାକିସ୍ତାନ କୁ ହରାଇ ଫାଇନାଲ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛି | ସିଂହପୁର ଗ୍ରାମର ଧୀରେନ୍ଦ୍ର କୁମାର ସାହୁ ଓ ମାନସୀ ସାହୁଙ୍କ ପୁତ୍ର ସତ୍ୟଜିତ ଛୋଟବେଳୁ କ୍ରୀଡ଼ା ପ୍ରତି ଆଗ୍ରହ ରଖି ନିରନ୍ତର ପରିଶ୍ରମ ମାଧ୍ୟମରେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ସେ **ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)**ର ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ, ଗତ ଦୁଇବର୍ଷ ଧରି ଓଡ଼ିଶା ଦଳ ପକ୍ଷରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଥିଲେ। ତାଙ୍କ ଦକ୍ଷତା ଓ ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଆଜି ଭାରତୀୟ ଦଳରେ ସ୍ଥାନ ଦେଇଛି। ସତ୍ୟଜିତଙ୍କ ଏହି ସଫଳତାରେ ସିଂହପୁର ସହ ସମଗ୍ର ବିଂଝାରପୁର ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି। ଗ୍ରାମବାସୀ, ସହପାଠୀ ଓ କ୍ରୀଡ଼ାପ୍ରେମୀମାନେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହିତ ଆସନ୍ତା ପ୍ରତିଯୋଗିତାରେ ସେ ଦେଶ ପାଇଁ ସଫଳତା ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲ୍ଲିକ ଓ ବିଂଝାରପୁର ବ୍ଲକ ସଂଯୋଜକ ନିରଂଜନ ବେଉରିଆ ସତ୍ୟଜିତଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ, ଗ୍ରାମାଞ୍ଚଳର ଯୁବପ୍ରତିଭାମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବା ଅଞ୍ଚଳ ପାଇଁ ଗର୍ବର ବିଷୟ। ଏଭଳି ସଫଳତା ଅନ୍ୟ ଯୁବମାନଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ସେ ମତ ପ୍ରକାଶ କରିଥିଲେ।