Hot Posts

6/recent/ticker-posts

ପ୍ରହସନ ପାଲଟିଛି ‘ଅମୃତ ଧାରା’: ବ୍ଲକ୍ ପ୍ରଶାସନର ଅବହେଳାରେ ଜଳ ସଙ୍କଟରେ ଗ୍ରାମବାସୀ

ଜୟପାଟଣା, ୦୭/୦୫ ( ରିତେଶ କୁମାର ମୁଣ୍ଡ ) : ସରକାର ଗ୍ରାମୀଣ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଲକ୍ଷ୍ୟ କରି ‘ଅମୃତ ଧାରା’ ଭଳି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ, ଜୟପାଟଣା ବ୍ଲକ୍ ଅନ୍ତର୍ଗତ ବାନେର ପଞ୍ଚାୟତରେ ଏହାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି, ବ୍ଲକ୍ ପ୍ରଶାସନର ଗୁରୁତର ଅବହେଳା ଓ ନିରୀକ୍ଷଣ ଅଭାବରୁ ବାନେର ଗାଁରେ ନିର୍ମିତ ‘ଅମୃତ ଧାରା’ କିଓସ୍କ କେବଳ ନାମକୁ ରହିଯାଇଛି। କିଓସ୍କ ତିଆରି ହୋଇଥିଲେ ମଧ୍ୟ ଏଥିରେ ଆବଶ୍ୟକୀୟ ଯନ୍ତ୍ରାଂଶ—ଜଳ ଶୁଧ୍ଧିକରଣ ଫିଲ୍ଟର, ପାଣି ଥଣ୍ଡା କରିବା ପାଇଁ ଫ୍ରିଜର୍ ଓ ମୋଟର—କୌଣସିଟି ମଧ୍ୟ ସ୍ଥାପିତ ହୋଇନାହିଁ। ସବୁଠାରୁ ଆଶ୍ଚର୍ୟଜନକ କଥା ହେଉଛି, ପଞ୍ଚାୟତର ସାଧାରଣ ପାଇପ୍ ଲାଇନ୍‌କୁ ସିଧାସଳଖ ଯୋଡ଼ି ଦେଇ କାମ ସାରିଦିଆଯାଇଛି, ଯାହାରେ ଲୋକମାନେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାସହିତ କିଓସ୍କ ପହଞ୍ଚିବା ପାଇଁ ଯଥେଷ୍ଟ ରାସ୍ତା ବ୍ୟବସ୍ଥା ମଧ୍ୟ ନଥିବାରୁ ଲୋକମାନେ ଦୁଃଖ ଭୋଗୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକ୍ ପ୍ରଶାସନ ଏହି ପ୍ରକଳ୍ପକୁ କାଗଜରେ ସୀମିତ ରଖି ଦେଇଛି ଓ ମାଟିସ୍ତରରେ କୌଣସି ସଠିକ୍ ନିରୀକ୍ଷଣ କରାଯାଇନାହିଁ। ଫଳରେ ସରକାରୀ ଅର୍ଥର ସ୍ପଷ୍ଟ ଅପବ୍ୟୟ ଘଟିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଗ୍ରାମବାସୀମାନେ ବ୍ଲକ୍ ପ୍ରଶାସନର ଭୂମିକାକୁ ପ୍ରଶ୍ନ କରିଛନ୍ତି—କେତେ ଅର୍ଥ ଖର୍ଚ୍ଚ ହେଲା, କିଏ ଏହାର ଦାୟୀ, ଏବଂ କାହିଁକି ପ୍ରକଳ୍ପଟିକୁ ଅସମ୍ପୂର୍ଣ୍ଣ ରଖାଗଲା? ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଓ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ‘ଅମୃତ ଧାରା’କୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।


କଳାହାଣ୍ଡି ଜୟପାଟଣା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ,