ରବିଚାଷ ପଞ୍ଜିକରଣ ରୁ ବଞ୍ଚିତ ଚାଷି ଙ୍କ ଗର୍ଜନ, ସରକାର ନ ଶୁଣିଲେ ୮ରେ ଅଖ ଚକ ବନ୍ଦ ପାଇଁ ଚେତାବନୀ।
କଳାହାଣ୍ଡି, ୦୨/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୧୮,୮୮୫ ହେକ୍ଟର ଚାଷଜମି କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଚଳିତ ରବିଧାନ ବିକ୍ରି ରୁ ବଞ୍ଚିତ ରହିଛନ୍ତି ଚାଷି। ଗତ ମାର୍ଚ୍ଚ ୧୦ ରୁ ୨୫ ପର୍ଯ୍ୟନ୍ତ ରବିଧାନ ବିକ୍ରି ପାଇଁ ପି ପାସ ପୋର୍ଟାଲ ରେ ପଞ୍ଜିକରଣ ହୋଇଥିବା ବେଳେ ମେଗାଲିଫ୍ଟ ଅଞ୍ଚଳ ଚାଷି ଙ୍କ ପାଇଁ କୌଣସି ଅପସନ ନ ଥିବାରୁ ହଜାର ହଜାର ଚାଷୀ ପଞ୍ଜିକରଣ ରୁ ବାଦ ପଡିଛନ୍ତି। ଏନେଇ ଚାଷି ସଙ୍ଗଠନ ଓ ଜନ ପ୍ରତିନିଧି ଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ସଚିବ ଙ୍କୁ ଭେଟି ଅଭିଯୋଗ ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ, ଓଲଟା ରାଜ୍ୟ ସରକାର ସଚିବ ଙ୍କ କାର୍ଯ୍ୟାଳୟ ରୁ ଲାଞ୍ଜିଗଡ଼ ବିଧାୟକ ଙ୍କ ଅଭିଯୋଗ କୁ ନେଇ ମିଳିଥିବା ଚିଠି ଚାଷୀକୁଳ ଙ୍କୁ ନିରାଶା ମଧ୍ୟ କୁ ଠେଲି ଦେଇଛି। ସଚିବ ଙ୍କ ଚିଠି ରେ ବର୍ତ୍ତମାନ ସ୍ଥିତି ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଧାନ କ୍ରୟ ନେଇ କୌଣସି ସମ୍ଭାବନା ନାହିଁ ବୋଳି ସ୍ପଷ୍ଟୀକରଣ ଦିଆଯାଇଛି।ଏହାକୁ ନେଇ ଚାଷୀ ଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଚି। ଆଜି ସଚେତନ କୃଷକ ମଞ୍ଚ ପକ୍ଷରୁ କୋକସରା ଧାନ ମଣ୍ଡି ରେ କୋକସରା, ଜୟପାଟଣା, ଧର୍ମଗଡ ଅଞ୍ଚଳ ର ଚାଷି ଙ୍କ ସମାବେଶ ରେ ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରିବା ସହ ଚାଷି ଙ୍କ କଷ୍ଟ ଉପାର୍ଜନ ଧାନ କେମିତି ବିକ୍ରି ହେବ ସେନେଇ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯଦି ରାଜ୍ୟ ସରକାର ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ୮ ତାରିଖରେ କୋକସରା ବ୍ଲକ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତା ଅବରୋଧ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ,