ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାହାର ଉଗ୍ର ରୂପ
ସିନାପାଲି, ୦୨/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାହାର ଉଗ୍ର ରୂପ ଦେଖାଇଛି। ତୀବ୍ର ପବନ, ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ହେବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏହି ଅକାଳ ବର୍ଷା ଓ କୁଆପଥର ମାଡ଼ରେ ବିଭିନ୍ନ ପନିପରିବା ଚାଷ ବ୍ୟାପକ ଭାବରେ ନଷ୍ଟ ହୋଇଛି। ଚାଷ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନଙ୍କ ପାଇଁ ଏହା ବଡ଼ ଆଘାତ ସୃଷ୍ଟି କରିଛି। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ସିନାପାଲି ଅଞ୍ଚଳରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ଜୋର ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ହୋଇଥିଲା ଏବଂ ପରେ ପ୍ରବଳ କୁଆପଥର ବର୍ଷା ଆରମ୍ଭ ହୋଇଥିଲା। ଆମ୍ବ ଗଛରୁ ଅନେକ ଫଳ ଝଡ଼ି ପଡ଼ିଥିବା ବେଳେ ପନିପରିବା ବଗିଚା ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି କାଳବୈଶାଖୀରେ ମହୁଲପଡା ଗ୍ରାମର ସଫଳ ଚାଷୀ ନିରଞ୍ଜନ ମାଝୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଚ୍ଚମାନର ଚାଷ କରି ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରଶଂସା ଲାଭ କରିଥିବା ନିରଞ୍ଜନ ମାଝୀ ନିଜର କଠିନ ପରିଶ୍ରମ ଓ ନୂତନ ପଦ୍ଧତିରେ ଚାଷ କରି ଅନେକ ପୁରସ୍କାର ପାଇଥିଲେ। କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟ ତାଙ୍କ ସବୁ ପରିଶ୍ରମକୁ କିଛି ମୁହୂର୍ତ୍ତରେ ନଷ୍ଟ କରିଦେଇଛି। ସୂଚନା ଅନୁସାରେ, ନିରଞ୍ଜନ ମାଝୀଙ୍କ ପନିପରିବା ବଗିଚା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଏହାସହ ତୀବ୍ର ପବନରେ ତାଙ୍କ କୁକୁଡ଼ା ଘର, ଗାଈ ଗୁହାଳ ଓ ଛେଳି ଘରର ଛାତ ଉଡ଼ିଯାଇ ଭାଙ୍ଗି ପଡ଼ିଛି। ଏହି ଘଟଣା ପରେ ନିରଞ୍ଜନ ଓ ତାଙ୍କ ପରିବାର ଗଭୀର ଚିନ୍ତାରେ ରହିଛନ୍ତି। ଚାଷରେ ଲଗାଇଥିବା ଟଙ୍କା ଫେରି ପାଇବେ କି ନାହିଁ, ସେନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ଅନେକ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଫସଲ ନଷ୍ଟ ହେବା ଫଳରେ ଆଗାମୀ ଦିନରେ ପନିପରିବା ଉତ୍ପାଦନ କମିବା ସହ ବଜାର ଦର ବଢ଼ିବା ଆଶଙ୍କା ଦେଖାଦେଇଛି। ଏହାର ସିଧା ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ମଧ୍ୟ ପଡ଼ିବ। ସ୍ଥାନୀୟ ଲୋକମାନେ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି। ବିଶେଷ କରି ନିରଞ୍ଜନ ମାଝୀ ପରି ସଫଳ ଚାଷୀଙ୍କୁ ସହଯୋଗ କରାଗଲେ ତାଙ୍କ ମନୋବଳ ବଢ଼ିବ ଏବଂ ସେ ପୁଣିଥରେ ଚାଷ କାମରେ ନିଜକୁ ନିୟୋଜିତ କରିପାରିବେ।