Hot Posts

6/recent/ticker-posts

ଶହଶହ ଛାତ୍ରଛାତ୍ରୀଙ୍କ ରାସ୍ତାରେ ବିପଦସଂକୁଳ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ବାଡ଼, ଅଘଟଣ ପୂର୍ବରୁ ଚେତିବ କି ପ୍ରଶାସନ ?

ସିନାପାଲି, ୧୬/୦୫ (ପରମେଶ୍ୱର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ପରିବେଷ୍ଟନୀ ବାଡ଼ ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି । ବାଡ଼ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ତାହା ଭାଙ୍ଗି ପଡ଼ିବା ଅବସ୍ଥାକୁ ଆସି ପହଞ୍ଚିଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ତୁରନ୍ତ ପଦକ୍ଷେପ ନ ନିଆଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ମହଳରେ ପ୍ରଶ୍ନ ଉଠିଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସାଧାରଣ ଲୋକଙ୍କ ସହ ପିଏମ୍ ଶ୍ରୀ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଇଜିଂ ସନ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି । ବିଶେଷ କରି ସ୍କୁଲ ଛୁଟି ସମୟରେ ରାସ୍ତାରେ ଭିଡ଼ ଅଧିକ ରହୁଥିବାରୁ ଯଦି କୌଣସି ସମୟରେ ବାଡ଼ ଭୁଶୁଡ଼ି ପଡ଼େ, ତେବେ ଏକ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ । ପାଖରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ମୁଖ୍ୟ କବାଟର ଦୁଇ ପାର୍ଶ୍ୱରେ ବାଡ଼ ଗଭୀର ଭାବରେ ଫାଟିଯାଇଛି । ଗୋଟିଏ ପାର୍ଶ୍ୱରେ ବିଶାଳକାୟ ଗଛର ମୂଳ ଚାପରେ ବାଡ଼ ଦୁର୍ବଳ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଦୀର୍ଘ ଫାଟ ଦେଖାଦେଇ ବାଡ଼ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବା ଅବସ୍ଥାରେ ରହିଛି । ବାଡ଼ ତଳେ ଜମା ହୋଇଥିବା ଆବର୍ଜନା ଓ ଅବହେଳିତ ପରିବେଶ ସମସ୍ୟାକୁ ଆହୁରି ଗୁରୁତର କରିଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏହି କାର୍ଯ୍ୟାଳୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଗୃହଠାରୁ ମାତ୍ର ୨୦୦ ମିଟର ଦୂରତାରେ ଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନର ନଜର ଏହି ବିପଦଜନକ ସ୍ଥିତି ଉପରେ ପଡ଼ୁନଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁର୍ଘଟଣା ଘଟିବା ପରେ ପ୍ରଶାସନ ଚେତିବ କି ? ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି । ତୁରନ୍ତ ବାଡ଼ର ମରାମତି କିମ୍ବା ପୁନଃନିର୍ମାଣ କରି ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି ।