ପାତାଳ ଗଙ୍ଗାରେ ବୈଶାଖ ମେଳା: ଭକ୍ତି ଓ ଆଧ୍ୟାତ୍ମିକତାର ମହାସମାଗମ
ସିନାପାଲି, ୦୨/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାତାଳ ଗଙ୍ଗାରେ ବୌଦ୍ଧ ପୂର୍ଣ୍ଣିମା ଅବସରରେ ଆୟୋଜିତ ବୈଶାଖ ମେଳା ଏବର୍ଷ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା। ପବିତ୍ର ପାତାଳ ଗଙ୍ଗା ତୀରରେ ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପବିତ୍ର ସ୍ନାନ କରି ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ପାତାଳ ଗଙ୍ଗାର ପବିତ୍ର ଜଳରେ ସ୍ନାନ କଲେ ରୋଗବ୍ୟାଧୁ ଦୂର ହୁଏ ଓ ଜୀବନର ଦୁଃଖ-କଷ୍ଟ ହ୍ରାସ ପାଏ ବୋଲି ସ୍ଥାନୀୟ ଲୋକମାନଙ୍କ ଗଭୀର ବିଶ୍ବାସ ରହିଛି। ଏହି ଆସ୍ଥାକୁ ନେଇ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଏବର୍ଷ ମଧ୍ୟ ଭକ୍ତମାନଙ୍କ ଉତ୍ସାହ ଓ ଭକ୍ତିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ "ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ୫ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ" ଚାରିଗଡ଼ ଝରିଆ ସାହୁ (ତେଲି ସମାଜ), ସାହୁ ସମାଜ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଧର୍ମଶାଳା ପ୍ରାଙ୍ଗଣରେ ଭବ୍ୟ ଭାବରେ ଆୟୋଜିତ ହୋଇଥିଲା। ୩୦ ଏପ୍ରିଲ ଗୁରୁବାର ସନ୍ଧ୍ୟା ୪ଟାରେ ଭବ୍ୟ ମଙ୍ଗଳ କଳସ ଯାତ୍ରା ମାଧ୍ଯମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶତାଧିକ ମହିଳା ମୁଣ୍ଡରେ କଳସ ଧାରଣ କରି ଭଜନ-କୀର୍ତ୍ତନ ସହ ଯାତ୍ରାରେ ସାମିଲ ହୋଇଥିବା ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଅଧ୍ୟକ୍ଷ (କୁଳପତି) ଶ୍ରୀ କୀର୍ତନ ରାମ ସାହୁ, ପୂର୍ବ କୁଳପତି ଶ୍ରୀ ଗୌରଚନ୍ଦ୍ର ସାହୁଙ୍କ ସହ ଖଡ଼ିଆଳ, କଳାହାଣ୍ଡି, ପାନାବେଡା, ଝରୀଗାଁ, କନ୍ଦାଡୋଙ୍ଗର ଓ ଦେଭୋଗ ଅଞ୍ଚଳର ବିଭିନ୍ନ ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗୌରବମୟ କରିଥିଲା। ୧ ମଇ ଶୁକ୍ରବାର ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସାମୁହିକ ଜପ, ଧ୍ୟାନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ମାଆ ଗାୟତ୍ରୀଙ୍କ ନିକଟରେଦେଶର ସମୃଦ୍ଧି, ପରିବାରର ଶାନ୍ତି ଓ ବ୍ୟକ୍ତିଗତ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଭଜନ, ଶଙ୍ଖଧ୍ବନି, ଘଣ୍ଟନାଦ ଓ ମନ୍ମୋଚ୍ଚାରଣରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ଭାବନାରେ ଭରିଯାଇଥିଲା। ସକାଳୁ ପବିତ୍ର ସ୍ନାନ ପାଇଁ ଲମ୍ବା ଧାର ଲାଗିଥିଲା। କେହି ଫୁଲ, ନାଡ଼ିଆ, ଧୂପ ଓ ପୂଜା ସାମଗ୍ରୀ ନେଇ ଆସୁଥିଲେ, ଆଉ କେହି ନିରବତାରେ ନିଜ ମନର ଇଚ୍ଛା ଓ ଆକାଂକ୍ଷା ଭଗବାନଙ୍କ ନିକଟରେ ଅର୍ପଣ କରୁଥିଲେ। ପବିତ୍ର ଜଳରେ ବୁଡ଼ ପକାଇବା ବେଳେ ଅନେକ ଭକ୍ତଙ୍କ ଆଖରେ ଆନନ୍ଦ ଓ ଭାବବିହ୍ବଳତାର ଲୁହ ଦେଖିବାକୁ ମିଳିଥିଲା। ଏହା କେବଳ ଏକ ସ୍ନାନ ନୁହେଁ, ବରଂ ଆତ୍ମାର ଶାନ୍ତି ଓ ନୂତନ ଆଶାର ଅନୁଭୂତି ଥିଲା। ମେଳା ପରିସରରେ ଦିନଭରି ପୂଜା, ହୋମ ଓ ସ୍ନାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାତି ହେଲେ ନାଟକ, ଲୋକନୃତ୍ୟ, ଭଜନ ସନ୍ଧ୍ୟା ଓ ବିଭିନ୍ନ ସାଂସ୍କୃତିକ ଆୟୋଜନ ଲୋକଙ୍କୁ ମନୋରଞ୍ଜନ କରିଥିଲା । ଲୋକମାନେ ରାତିସାରା କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଛୋଟ ପିଲାମାନେ ମେଳାରୁ ଖେଳନା, ବାଲୁନ, ମିଠା ଓ ବିଭିନ୍ନ ଜିନିଷ କିଣି ଖୁସି ହେଉଥିବା ବେଳେ, ବୃଦ୍ଧମାନେ ପୁରୁଣା ସ୍ମୃତିକୁ ମନେପକାଇ ମେଳାର ଆନନ୍ଦ ଉଠାଇଥିଲେ। ଖାଦ୍ୟ ଷ୍ଟ୍ରଲ୍, ଛୋଟ ଛୋଟ ଦୋକାନ ଓ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ମେଳାକୁ ଆହୁରି ରଙ୍ଗିନ କରିଥିଲା। ମେଳାର ସୁଚାରୁ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ସୁରକ୍ଷା, ପାଣି, ଆଲୋକ, ସ୍ବାସ୍ଥ୍ୟ ସେବା ଓ ପରିଷ୍କାର-ପରିଚ୍ଛନ୍ନତାର ଉଚିତ ବ୍ୟବସ୍ଥା କରାଯାଇଥିଲା। ଫଳରେ ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ। ଛତିଶଗଡ, ରାୟପୁର, ରାୟଗଡା, ସମ୍ବଲପୁର,ଜୟ ପୁର,ନବରଙ୍ଗପୁର,,ଉମରକୋଟ ସହ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଏହି ମେଳାରେ ଯୋଗଦେଇଥିଲେ। ସମଗ୍ରରେ, ପାତାଳ ଗଙ୍ଗାର ବୈଶାଖ ମେଳା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଲୋକଙ୍କ ଆସ୍ଥା, ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଜୀବନ୍ଧ ପ୍ରତୀକ ଭାବେ ପରିଚିତ ହୋଇଉଠିଛି।