Hot Posts

6/recent/ticker-posts

ନୂଆପଡ଼ାରେ ପ୍ରଥମ ସିଏମ୍ ଟ୍ରଫି ଭଲିବଲ ଓ କବାଡି ମହାସମାରୋହରେ ଉଦଘାଟିତ।

ନୂଆପଡ଼ା, ୨୫/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି ଭଲିବଲ ଓ କବାଡି ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ଭଲିବଲ ଆସୋସିଏସନ ଓ ଓଡ଼ିଶା କବାଡି ଆସୋସିଏସନଙ୍କ ମିଳିତ ସହଯୋଗରେ ଏହି କ୍ରୀଡା ଆୟୋଜନ କରାଯାଇଛି। ଆଜି ସକାଳ ଘ. ୮ ଟିକା ସମୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଫୁଟବଲ ସଂଘର ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାରା, ସମାଜସେବୀ ଯାଜ୍ଞଶେନୀ ମହାପାତ୍ର ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ସାହୁ ଉପସ୍ଥିତ ଥିଲେ। ଆରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସିଏମ୍ ଟ୍ରଫିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଆଗାମୀ ଜୁନ୍ ମାସର ପ୍ରଥମ ସପ୍ତାହରେ ଆୟୋଜିତ ହେବାକୁ ଥିବା ଜୋନାଲ୍ କ୍ରୀଡା ପ୍ରତିଯୋଗିତା ପାଇଁ ନୂଆପଡ଼ା ଜିଲ୍ଲା ଦଳ ଚୟନ ନିମନ୍ତେ ଏହି ଆୟୋଜନ କରାଯାଇଥିବା ସେ କହିଥିଲେ। ପଞ୍ଜୀକୃତ ସମସ୍ତ ଖେଳାଳି ଖେଳ ପ୍ରାଙ୍ଗଣରେ ଉପସ୍ଥିତ ଥିବାରୁ ସେ ଖୁସି ବ୍ୟକ୍ତ କରି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରଇତ ନିଜ ଅଭିଭାଷଣରେ କହିଥିଲେ ଯେ, ନୂଆପଡ଼ା ଜିଲ୍ଲାର ଖେଳାଳିମାନେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆସୁଛନ୍ତି। ଭଲିବଲ, କବାଡି, କୁସ୍ତି ଓ କ୍ରିକେଟ ଭଳି ବିଭିନ୍ନ କ୍ରୀଡାରେ ଜିଲ୍ଲାର ଖେଳାଳିମାନେ ନିଜ ପ୍ରତିଭା ପ୍ରମାଣ କରିଛନ୍ତି। ଆଜିର ଯୁବ ଖେଳାଳିମାନେ ସେମାନଙ୍କ ପଥ ଅନୁସରଣ କରି ଆଗାମୀ ଦିନରେ ଆହୁରି ଗୌରବ ଆଣିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଯେପରି ଉତ୍ସାହର ସହିତ ଖେଳାଳିମାନେ ଭାଗ ନେଉଛନ୍ତି, ତାହା ସେମାନଙ୍କ ଦୃଢ଼ ମନୋବଳ ଓ ଶାରୀରିକ କ୍ଷମତାର ପ୍ରତିଫଳନ। ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ସୁଚାରୁ ବ୍ୟବସ୍ଥାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ସରୋଜ କୁମାର ସାହୁ କହିଥିଲେ ଯେ, ନୂଆପଡ଼ାର ଖେଳାଳିମାନେ ସଦା ଆଗରେ ରହିଛନ୍ତି ଏବଂ ନିଜ ପ୍ରଦର୍ଶନ ମାଧ୍ୟମରେ ଜିଲ୍ଲାକୁ ଗୌରବାନ୍ବିତ କରୁଛନ୍ତି। ଆଗାମୀ ପିଢ଼ିର ଖେଳାଳିମାନେ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ନୂଆପଡ଼ାର ନାମକୁ ଆହୁରି ଉଚ୍ଚକୁ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ଅତିଥିମାନେ ଖେଳାଳିମାନଙ୍କ ସହ କରମର୍ଦନ କରି କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।