ଭଞ୍ଜନଗର ଠାକୁରାଣୀ ଯାତ୍ରା ୫ମ ଦିବସ: ବର୍ଷା ଯୋଗୁଁ ବନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ, ନିରାଶ ହେଲେ ଦର୍ଶକ
ଭଞ୍ଜନଗର, ୦୧/୦୫ ( ଜୟକୃଷ୍ଣ ପଟନାୟକ ) : ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହିତ ଗତ ୨୬ତାରିଖ ଠାରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି।ଏହି ଅବସରରେ ଗୁରୁବାର ସ୍ଥାନୀୟ ପୁରୁଣା ଜେଲ ପରିସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ କବି ସମ୍ରାଟ ମୁକ୍ତାକାଶ ରଙ୍ଗମଞ୍ଚର ଶୁଭ ଉଦଘାଟନ ହୋଇଯାଇଛି।ଏଠାରେ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଖ୍ୟାତି ସମ୍ପନ୍ନ କଳାକାର ଓ ସେମାନଙ୍କ ଦଳ ନିଜ କଳା ପ୍ରଦର୍ଶନ କରିବେ।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଭଞ୍ଜନଗର ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲଜ ଅଧ୍ୟକ୍ଷ ନରୀସଭା ନାୟକ, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ପ୍ରଧାନ,ଅଧ୍ୟକ୍ଷ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନୀଳମାଧଵ ପାତ୍ର, ସମ୍ପାଦକ ସୁଧୀର ରଞ୍ଜନ ବେହେରା,ସାଂସ୍କୃତିକ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିଲେ। ହେଲେ ଠିକ ସଭା କାର୍ଯ୍ୟ ଚାଲିଥିବା ବେଳେ ହାଠାତ୍ ଜୋରରେ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇ ଦୀର୍ଘ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।ଯିଏ ଯୁଆଡ଼େ ପାରିଲେ ଦୌଡିଲେ।ଫଳରେ ବାଧ୍ୟହୋଇ ଅଧାରେ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି।ଏହି ପ୍ରଥମ ଦିନରେ ପୁରୀର ପ୍ରସିଦ୍ଧ ଗୋଟି ପୁଅ ନୃତ୍ୟ ସହିତ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଭଳି ସୁନ୍ଦର କାର୍ୟ୍ଯକ୍ରମ ଦେଖିବାକୁ ବହୁ ଦର୍ଶକ ଉପସ୍ଥିତ ଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦର୍ଶକମାନେ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବାରୁ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଛନ୍ତି।ଏଥିସହ କାଳ ବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ବିଦ୍ୟୁତ ସରବରାହରେ ମଧ୍ୟ ବ୍ୟାଘାତ ଘଟିଥିଲା। ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ରାତିସାରା ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ବୁଡ଼ି ରହିଥିଲା।ଭୋର ୫ଟାରେ ଯାଇ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିଲା।