Hot Posts

6/recent/ticker-posts

ଚୌଦ୍ୱାର ଲୁଟ ଘଟଣାରେ ପୁଲିସର ବଡ଼ ସଫଳତା : ୬ ଅଭିଯୁକ୍ତ ଗିରଫ, ଟଙ୍କା ଓ ଅସ୍ତ୍ର ଜବତ

କଟକ, ୨୮/୦୫ ( କାହୁଁ ଚରଣ ବାରିକ ) : କଟକ ଚୌଦ୍ୱାର ଥାନା ଅଞ୍ଚଳରେ ଘଟିଥିବା ଏକ ଦୁଃସାହସିକ ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୁଡିଆଳି ଗ୍ରାମର ଶ୍ରୀଧର ସାହୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଏକ କାର୍‌ ଯୋଗେ ଯାଉଥିବା ବେଳେ ଚୌଦ୍ୱାର ରେଳ ଫାଟକ ନିକଟରେ କିଛି ଦୁର୍ବୃତ୍ତ ଏକ ଆଲ୍ଟୋ କାର୍‌ରେ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ଗାଡ଼ିରେ ଥିବା ଯାତ୍ରୀମାନଙ୍କୁ ଆକ୍ରମଣ କରି ମାଡ଼ ମାରିବା ସହ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିଲେ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ରଖାଯାଇଥିବା ପ୍ରାୟ ୬୫ ହଜାର ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଅଭିଯୋଗକୁ ଆଧାର କରି ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ଡିସିପି କଟକଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଥିଲା। ପୁଲିସ ଟିମ୍‌ ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଫୁଙ୍ଖାନୁ ଫୁଙ୍କ ଭାବେ ଯାଞ୍ଚ କରିଥିଲା। ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରାଯାଇଥିଲା। ସିସିଟିଭି ଫୁଟେଜ୍‌, ସନ୍ଦିଗ୍ଧଙ୍କ ଶାରୀରିକ ଗଠନ ଓ ସ୍ଥାନୀୟ ସୂଚନା ଆଧାରରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନିଜାମୁଦ୍ଦିନ ଖାନ , ଏସ୍‌.କେ. ଆମିରୁଦ୍ଦିନ, କବିରୁଦ୍ଦିନ , ଏସ୍‌.କେ. ଜୋରରୁଦ୍ଦିନ, ଏସ୍‌.କେ. ଜବରୁଦ୍ଦିନ ଓ ଏସ୍‌.କେ. ସାମସୁଦ୍ଦିନ । ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ଛାପାମାରି ସମୟରେ ସେମାନଙ୍କ ନିକଟରୁ ୧୧ ହଜାର ୯୦୦ ଟଙ୍କା ନଗଦ ଟଙ୍କା, ଏକ ରାମ୍ବୋ ଛୁରୀ ଏବଂ ଅପରାଧ ସମୟରେ ବ୍ୟବହୃତ ଧାତୁମୟ କଳା ରଙ୍ଗର ମାରୁତି ସୁଜୁକି ଆଲ୍ଟୋ–୮୦୦ କାର୍‌ ଜବତ କରିଛି। ଏହାସହ ଗିରଫ ଅଭିଯୁକ୍ତମାନଙ୍କ ଆପରାଧିକ ପୂର୍ବ ଇତିହାସ ଓ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଖୋଜଖବର ଚଳାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି |