Hot Posts

6/recent/ticker-posts

ଲେପାକୁମ୍ପାରେ ପାନୀୟ ଜଳ ସଙ୍କଟ, ଫାଟିଗଲା ସୋଲାର ଟାଙ୍କି, ଭାଙ୍ଗି ପଡ଼ିଛି ଟେବ୍‌ — ଶୀଘ୍ର ମରାମତି ଦାବି

ଖଜୁରୀପଡ଼ା, ୨୦/୦୫ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଲେପାକୁମ୍ପା ଗ୍ରାମରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ନେଉଛି । ଗ୍ରାମରେ ସ୍ଥାପିତ ସୋଲାର ପାଣି ଟାଙ୍କି ଫାଟି ପାଣି ଗଳିଯାଉଥିବା ବେଳେ, ପାଣି ବାହାରୁଥିବା ଟେବ୍‌ ମଧ୍ୟ କିଛି ମାସ ହେବ ଭାଙ୍ଗି ନଷ୍ଟ ହୋଇ ପଡ଼ିଛି । ଫଳରେ ଗ୍ରାମବାସୀମାନେ ଦୈନନ୍ଦିନ ପାନୀୟ ଜଳ ସଂଗ୍ରହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସୂଚନା ଅନୁଯାୟୀ, ଲେପାକୁମ୍ପା ଗ୍ରାମର ସମସ୍ତ ପରିବାର ଏହି ସୋଲାର ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିଲେ । କିନ୍ତୁ ଟାଙ୍କି ଫାଟିଯିବାରୁ ପାଣି ଅପଚୟ ହେଉଥିବା ସହ ଲୋକମାନଙ୍କ ପାଖକୁ ସଠିକ୍ ଭାବରେ ପାଣି ପହଞ୍ଚି ପାରୁନାହିଁ । ଅନ୍ୟପଟେ ଟେବ୍‌ ଭାଙ୍ଗି ଯାଇଥିବାରୁ ଲୋକମାନେ ପାତ୍ର ଧରି ପାଣି ନେବାରେ ଅସୁବିଧା ଭୋଗୁଛନ୍ତି । ବିଶେଷ କରି ମହିଳା, ବୃଦ୍ଧ ଓ ଛୋଟ ଛୁଆମାନେ ଏହି ସମସ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଜଣାପଡ଼ିଛି ।ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଅଞ୍ଚଳରେ ପାଣିର ଚାହିଦା ବଢ଼ିଥିବା ବେଳେ ଏହି ଅବ୍ୟବସ୍ଥା ଗ୍ରାମବାସୀଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି । ଗ୍ରାମବାସୀମାନେ ଏନେଇ ବହୁବାର ସମ୍ପୃକ୍ତ ବିଭାଗ ଓ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାର ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ଏଭଳି ମୌଳିକ ସମସ୍ୟା ପ୍ରତି ଅବହେଳା ଚିନ୍ତାର ବିଷୟ । ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଫାଟିଥିବା ଟାଙ୍କି ଓ ଭାଙ୍ଗିଥିବା ଟେବ୍‌ର ଯଥାଶୀଘ୍ର ମରାମତି କରି ଗ୍ରାମବାସୀଙ୍କୁ ସୁଚାରୁ ଭାବେ ପାନୀୟ ଜଳ ଯୋଗାଇବାକୁ ଦାବି ହୋଇଛି ।