Hot Posts

6/recent/ticker-posts

ସୋରିପଡ଼ା-ଖଲିଆପଡ଼ାରେ ଜଳ ସଙ୍କଟ, ପାଣି ପାଇଁ ଡହଳବିକଳ ଗ୍ରାମବାସୀ

କୋମନା, ୨୩/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗାଁରେ ୫୦ରୁ ଉର୍ଦ୍ଧ ପରିବାରରେ ୪ ଶହ ଲୋକ ବାସ କରନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଗାଁରେ ୩ଟି ନଳକୂଅ ରହିଛି। ପୁରୁଣା ଯଜ୍ଞବେଦୀ ପାଖ ନଳକୂଅ ଖରାପ ରହିଥିବା ବେଳେ ବସ୍ତି ମଝିରେ ଥିବା ନଳକୂଅରେ ସୂତା ଧାରରେ ପାଣି ବାହାରୁଛି। ଫଳରେ ଗୋଟିଏ ଗରା ପାଣି ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅନ୍ୟପକ୍ଷରେ ନୂତନ ଯଜ୍ଞବେଦୀ ପାଖରେ ଭଲ ପାଣି ବାହାରୁଥିବା ନଳକୂଅ ଉପରେ ଲୋକେ ନିର୍ଭର କରୁଥିବାବେଳେ ମାଟି ଧସି ତାହାପୋତିହୋଇଯିବାରୁ ପାଣି ବାହାରୁନାହିଁ। ଗାଁରେ ଥିବା ପୋଖରୀ, ମୁଡା, ଚହଲା ପାଣି ଶୁଖ୍ଗଲାଣି। ଶୌଚସ୍ନାନ ଦୂର କଥା ନିତ୍ୟ ବ୍ୟବହାର ପାଇଁ ପାଣି ମିଳୁନାହିଁ । ବସୁଧା ଯୋଜନାରେ ଗାଁ ଭିତରେ ପାଇପ୍ ବିଛାଯାଇ ଘରଗୁଡ଼ିକରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି । ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ପାଇପ୍ ପାଣି ଆସୁନାହିଁ। ସେହିପରି ଖଲିଆପଡ଼ାରେ ୨୦ରୁ ଉର୍ଦ୍ଧ ପରିବାରରେ ଶହେରୁ ଅଧିକ ଲୋକ ବାସ କରୁଛନ୍ତି। ସେମାନଙ୍କ ପାଇଁ ଗୋଟିଏ ନଳକୂଅ ରହିଛି। ସେଥିରେ ସୋଲାର ମାଧ୍ୟମରେ ମୋଟର ଲଗାଯାଇ ଟାଙ୍କିକୁ ପାଣି ଉଠାଇ ବ୍ୟବହାରକରାଯାଉଥିଲା। ହେଲେ ବର୍ତ୍ତମାନ ନଳକୂଅରୁ ପାଣି ବାହାରୁ ନ ଥିବାରୁ ପଡ଼ାବାସୀ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଭୟ ଗାଁ ଓ ପଡ଼ାର ଲୋକେ ପାଖ ଗାଁର ପୋଖରୀ କିମ୍ବା ମୁଡାକୁ ଶୌଚସ୍ନାନ ପାଇଁ ଯାଉଥିବାବେଳେ ଡ୍ରମ ଓ ଟିଣ ଡବାରେ ପାଣି ଆଣି କଷ୍ଟେମଷ୍ଟେ ଚଳୁଛନ୍ତି। ଖରାପ ହୋଇଥିବା ନଳକୂଅ ମରାମତି ସହ ପାଇପ୍‌ରେ ଜଳ ଯୋଗାଣ ଓ ଟ୍ୟାଙ୍କର ଯୋଗେ ଗାଁକୁ ପାଣି ଯୋଗାଣ କରିବାକୁ ୱାର୍ଡ ସଭ୍ୟ ଜଗନ୍ନାଥ ଧରୁଆ, ଲାୟଧର ମାଝି, ଜୟସିଂ ମାଝି, ସୂର୍ଯ୍ୟକାନ୍ତି ମାଝି, ରମୁଲା ମାଝି, ଭୂମିସୂତା ମାଝି ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କୋମନା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ନିରନ୍ତର ମିଞ୍ଜଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଆମ ଲୋକ ଯାଇ ଖରାପ ହୋଇଥିବା ନଳକୂଅ ମରାମତି କରିବେ ବୋଲି କହିଥିଲେ।