Hot Posts

6/recent/ticker-posts

କନସିଂହା ରେ ୧୬ ପ୍ରହରୀ ନାମଯଜ୍ଞ ଭକ୍ତି, ପରମ୍ପରା ସହିତ ଅନୁଷ୍ଠିତ

ପଦ୍ମପୁର, ୦୯/୦୫ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମ ପୁଣିଥରେ ଭକ୍ତିର ଅପୂର୍ବ ରଙ୍ଗରେ ରଙ୍ଗେଇଛି ଏଠାରେ ଆୟୋଜିତ ୧୬ ପ୍ରହରୀ ନାମଯଜ୍ଞ ଉତ୍ସବ ଗ୍ରାମକୁ ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଣତ କରିଦେଇଛି । ଗତ ଦୁଇ ଦିନ ଧରି ଚାଲିଥିବା ଏହି ପବିତ୍ର ଅନୁଷ୍ଠାନରେ ଦୂରଦୂରାନ୍ତରୁ ଭକ୍ତମାନେ ଯୋଗଦେଇ ଭକ୍ତିର ସ୍ରୋତକୁ ଅଧିକ ଗଭୀର କରିଛନ୍ତି । ୬ ତାରିଖ ଆରମ୍ଭ ହୋଇ ୮ତାରିଖ ଅପରାହ୍ନ ୪ଟାରେ ଏହାର ପୂର୍ଣ୍ଣାହୁତି ହୋଇ ଥିବାବେଳେ, ଗ୍ରାମରେ ଭକ୍ତମାନଙ୍କର ଭିଡ଼ ଚୂଡ଼ାନ୍ତରେ ପହଞ୍ଚିଛି । ଗାଁର ପ୍ରତ୍ୟେକ କୋଣାରୁ “ହରେ କୃଷ୍ଣ, ହରେ ରାମ” ମହାମନ୍ତ୍ରର ଧ୍ୱନି ଗୁଞ୍ଜିଉଠୁଥିବା ସମୟରେ ଭକ୍ତମାନେ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ଲୀନ ହୋଇ ଆତ୍ମିକ ଆନନ୍ଦର ଅନୁଭୂତି କରୁଛନ୍ତି । ପୂଜାପାଠ ଓ ହୋମଯଜ୍ଞ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ରୂପ ଧାରଣ କରିଛି, ଯାହା ଗ୍ରାମୀଣ ସାମୂହିକତା ଓ ଏକତାର ଏକ ଅଦ୍ଭୁତ ଚିତ୍ର ଦେଖାଉଛି । ଏହି ନାମଯଜ୍ଞ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଦୀର୍ଘଦିନର ଏକ ପବିତ୍ର ପରମ୍ପରାର ପ୍ରତୀକ । ପ୍ରାୟ ୬୬ ବର୍ଷ ଧରି ଅବିରତ ଭାବେ ଚାଲିଆସୁଥିବା ଏହି ଉତ୍ସବର ମୂଳ ଆରମ୍ଭ ହୋଇଥିଲା ୧୯୬୦ ମସିହାରେ, ଯେତେବେଳେ ଗାଁର କିଛି ଭକ୍ତିପରାୟଣ ବ୍ୟକ୍ତି ମିଶି ସଂକୀର୍ତ୍ତନ ଦଳ ଗଠନ କରିଥିଲେ । ସେତେବେଳେ ନ ଥିଲା ଆଧୁନିକ ସୁବିଧା, ନ ଥିଲା ଆର୍ଥିକ ସମୃଦ୍ଧି ଥିଲା କେବଳ ଅଦମ୍ୟ ଆସ୍ଥା ଓ ଭଗବାନଙ୍କ ପ୍ରତି ଗଭୀର ଭକ୍ତି । ସମୟର ପରିବର୍ତ୍ତନ ସହ ଉତ୍ସବର ରୂପରେ କିଛି ପରିବର୍ତ୍ତନ ଆସିଥିବା ସତ୍ତ୍ୱେ, କନସିଂହା ଗ୍ରାମ ଆଜିବି ତାହାର ମୂଳ ଆତ୍ମାକୁ ଅଟୁଟ ରଖିପାରିଛି । ଏକ ସମୟରେ କେବଳ ଗୋଟିଏ ନଡ଼ିଆ ଦେଇ ସଂକୀର୍ତ୍ତନ ଦଳକୁ ଆମନ୍ତ୍ରଣ କରାଯାଉଥିଲା, ଯେଉଁଥିରେ ଥିଲା ଭକ୍ତି ଓ ସାଧାରଣତାର ସ୍ପର୍ଶ । ବର୍ତ୍ତମାନ ଯଦିଓ କିଛି ସ୍ଥାନରେ ବ୍ୟବସାୟିକତାର ଛାୟା ପଡ଼ିଛି, କନସିଂହା ରେ ଏହି ପରମ୍ପରା ଆଜିବି ସରଳତା ଓ ନିଷ୍କାମ ଭାବନାରେ ଅବିକଳ ଅଛି । ଏହି ବର୍ଷର ନାମଯଜ୍ଞରେ ୯ଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିବାବେଳେ, ଗ୍ରାମବାସୀମାନେ ସମ୍ମିଳିତ ଭାବେ ଉତ୍ସବକୁ ସଫଳ କରିଛନ୍ତି । ସଭାପତି ଯାଦବ ସିଂ ବରିହା, ଉପସଭାପତି ନରୋତ୍ତମ ସାହୁ, ସମ୍ପାଦକ ସୁଦାମ ଚରଣ ବିଶି, ସହ ସମ୍ପାଦକ ଆଶିଷ କୁମାର ବିଶି, କୋଷାଧକ୍ଷ କେଦାର ଧରୁଆ,ଓ କର୍ତ୍ତା ଭାବେ ଲିଙ୍ଗରାଜ ସିଂ ବରିହା ସହ ତାଙ୍କ ସ୍ୱପତ୍ନୀ ବିପ୍ଲବିନି ସିଂ ବରିହା, ପୂଜକ ପ୍ରମୋଦ କୁମାର ଦାସ, ଜପକ ସୁନିଲ ଦାସ, ବାଦଲ ମିଶ୍ର ଉଦ୍ୟମ ଉଲ୍ଲେଖନୀୟ । ହରେକୃଷ୍ଣ ହରେରାମ ମନ୍ତ୍ର ଗ୍ରାମରେ ଭକ୍ତି ଓ ସଂସ୍କୃତି ଆନନ୍ଦର ଏକ ଅପୂର୍ବ ମିଶ୍ରଣ ସୃଷ୍ଟି କରିଛି । ଗ୍ରାମବାସୀଙ୍କ କଥାରେ, “ନାମଯଜ୍ଞ କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ଏହା ହୃଦୟକୁ ଶୁଦ୍ଧ କରିବା ସହ ମନୁଷ୍ୟମାନଙ୍କୁ ଏକତାର ସୂତ୍ରରେ ବାନ୍ଧିଥାଏ । ଏହା କନସିଂହା ଗ୍ରାମ ଏକ ପ୍ରେରଣା ହୋଇ ରହିଛି ।




ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।