ଜୟପାଟଣା, ୩୧/୦୫ ( ରିତେଶ କୁମାର ମୁଣ୍ଡ ) : ଆପଣ ଦେଖୁଛନ୍ତି ଏକ ବଡ଼ ଖବର। କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ବିଭାଗରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆଇନ ରକ୍ଷକ ସାଜିଛି ଭକ୍ଷକ! ପଦବୀର ଅପବ୍ୟବହାର କରି ବେଆଇନ କାରବାର ଓ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ହୋମଗାର୍ଡଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଯାଇଛି। କଳାହାଣ୍ଡି ଏସପି (SP) ନାଗରାଜ ଦେବକୋଣ୍ଡାଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ତେଜିଛି ଚର୍ଚ୍ଚା ପୋଲିସ ପ୍ରଶାସନରେ ବଡ଼ ଧରଣର ଗୁଗୁଲି। ଜୟପାଟଣା ଥାନାର ହୋମଗାର୍ଡ ପବିତ୍ର ମୋହନ ନାୟକଙ୍କୁ ମିଳିଛି ବଡ଼ ଦଣ୍ଡ। ନିଜ ପଦବୀର ଅପବ୍ୟବହାର କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଏବଂ ବେଆଇନ ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। କଳାହାଣ୍ଡି ଏସପି ନାଗରାଜ ଦେବକୋଣ୍ଡା ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପବିତ୍ର ଜୟପାଟଣାର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଏହାର ଭରପୂର ଫାଇଦା ଉଠାଉଥିଲେ। ସେ ସ୍ଥାନୀୟ ଅଞ୍ଚଳର ବେଆଇନ ମଦ ବେପାରୀ, ସଟ୍ଟା ଓ ଜୁଆ ମାଲିକ ଏବଂ ଗଞ୍ଜେଇ ମାଫିଆଙ୍କ ସହ ସଲାସୁତୁରା କରି ଏକ ବଡ଼ ଦଲାଲି ସାମ୍ରାଜ୍ୟ ଠିଆ କରିଥିଲେ। ସାଧାରଣ ଲୋକଙ୍କୁ ଆଇନର ଭୟ ଦେଖାଇ ସେ ପ୍ରଚୁର ଅର୍ଥ ଲୁଟୁଥିବା ନେଇ ଉଚ୍ଚ ପଦାଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ହୋଇଥିଲା। ମାଫିଆଙ୍କ ସହ ସମ୍ପୃକ୍ତି, ବେଆଇନ ବଟି ଆଦାୟ ଓ ପଦବୀର ଅପବ୍ୟବହାର। ଏହି ଘଟଣାର ତଦନ୍ତ ପରେ ଅତିରିକ୍ତ SP ଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ହେଲେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଜଣେ ସାଧାରଣ ହୋମଗାର୍ଡ ପଦବୀରେ ଥାଇ ପବିତ୍ର ଏତେ ବଡ଼ ସାମ୍ରାଜ୍ୟ ଚଳାଉଥିଲେ କେମିତି? ଏହି ବିପୁଳ ପରିମାଣର କଳା ଟଙ୍କା କେବଳ ପବିତ୍ରଙ୍କ ପକେଟକୁ ଯାଉଥିଲା ନା ଏଥିରେ ଅନ୍ୟ କୌଣସି ବଡ଼ ପୋଲିସ ଅଧିକାରୀଙ୍କ ହାତ ରହିଛି, ତାହାକୁ ନେଇ ଏବେ ସନେ୍ଦହ ଦେଖାଦେଇଛି। ପୋଲିସ ବିଭାଗରେ ଥାଇ ଏଭଳି କଳା କାରନାମା ସାମ୍ନାକୁ ଆସିବା ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ଏସପିଙ୍କ ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ ଅସାଧୁ କର୍ମଚାରୀଙ୍କ ପାଇଁ ଏକ ଚେତାବନୀ ସଦୃଶ ହୋଇଛି। ଏହି ଘଟଣାରେ ଆଗକୁ ଆଉ କାହାର ଚେହେରା ସାମ୍ନାକୁ ଆସୁଛି, ତାହା ଦେଖିବାକୁ ବାକି ରହିଲା।
(କଳାହାଣ୍ଡି ଜୟପାଟଣା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ )
