ସିନାପାଲିରେ ବିଦ୍ୟୁତ ସେବାକୁ ନେଇ ଅସନ୍ତୋଷ: ଉପଭୋକ୍ତାଙ୍କ ଅଭିଯୋଗରେ ASO, ଏଭରେଜ୍ ବିଲିଂ ନେଇ ଉଠିଲା ପ୍ରଶ୍ନ
ସିନାପାଲି, ୨୦/୦୫ ( ପରମେଶ୍ୱର ମେହେର ) : ସିନାପାଲି ବିଦ୍ୟୁତ ବିଭାଗକୁ ନେଇ ଦିନକୁ ଦିନ ଉପଭୋକ୍ତାଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଶେଷକରି “ଏଭରେଜ୍ ବିଲିଂ” ନାଁରେ ଅଧିକ ବିଲ୍ ଆଦାୟ, ମିଟର ସମସ୍ୟାର ସମାଧାନରେ ବିଳମ୍ବ ଏବଂ ଉପଭୋକ୍ତାଙ୍କ ସହ ଅସଦାଚରଣ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିl ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟରତ ASO ଆଦିତ୍ୟଙ୍କ ବିରୋଧରେ ଅନେକ ଉପଭୋକ୍ତା ଗୁରୁତର ଅଭିଯୋଗ ଆଣିଛନ୍ତି ।ଉପଭୋକ୍ତାଙ୍କ କହିବା ଅନୁଯାୟୀ, ମିଟର ଖରାପ ହେଲେ କିପରି ଯାଞ୍ଚ କରାଯିବ, କେତେ ସମୟ ମଧ୍ୟରେ ପରିବର୍ତ୍ତନ ହେବ କିମ୍ବା ନିୟମ କ’ଣ ଅଛି, ଏହାକୁ ନେଇ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନାହିଁ । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉପଭୋକ୍ତାଙ୍କୁ ଯୁକ୍ତିତର୍କ ଓ ଦାଦାଗିରି ସହ ମୁହାଁ ଦେବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି ।ବିଦ୍ୟୁତ ବିଭାଗର “Average Billing” ପ୍ରକ୍ରିୟାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଓଡିଶା ବିଦ୍ୟୁତ ନିୟନ୍ତ୍ରଣ ଆୟୋଗ (OERC) ନିୟମ ଅନୁସାରେ, ମିଟର ଖରାପ ହେଲେ କିମ୍ବା ରିଡିଂ ନେବା ସମ୍ଭବ ନ ହେଲେ ପୂର୍ବର ୩ ରୁ ୬ ମାସର ହାରାହାରି ବ୍ୟବହାର ଆଧାରରେ ଅସ୍ଥାୟୀ ବିଲ୍ ଦିଆଯାଏ । କିନ୍ତୁ ପରେ ପ୍ରକୃତ ରିଡିଂ ଆସିଲେ ସମଯୋଜନ କରିବା ନିୟମ ଥିଲେ ମଧ୍ୟ ଅନେକ ଉପଭୋକ୍ତାଙ୍କ ଅଭିଯୋଗ “ଏଭରେଜ୍ ବିଲ୍” ନାଁରେ ଅଧିକ ଟଙ୍କା ଯୋଗ କରାଯାଉଛି ଏବଂ ପଚାରିଲେ ଠିକ୍ ଉତ୍ତର ମିଳୁନାହିଁ । ଜଣେ ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ସେ ₹୫୦୦୦ ବିଲ୍ ପେମେଣ୍ଟ କରିଥିଲେ । କିଛି ଦିନ ପରେ ହଠାତ୍ ତାଙ୍କ ଘରର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ପରେ ଅଭିଯୋଗ କରିବା ପରେ ଜଣାପଡ଼ିଥିଲା ଯେ ପେମେଣ୍ଟ ଜମା ହୋଇନଥିଲା । ସେ SDOଙ୍କୁ ଅଭିଯୋଗ କରିବା କଥା କହିବାମାତ୍ରେ ମାତ୍ର ୫ ମିନିଟ୍ ମଧ୍ୟରେ ମୋବାଇଲକୁ ପେମେଣ୍ଟ ଜମା ହୋଇଥିବାର ମେସେଜ୍ ଆସିଥିଲା । ଏହି ଘଟଣାକୁ ନେଇ ଉପଭୋକ୍ତା ମହଳରେ ପ୍ରଶ୍ନ ଉଠିଛି ଯେ ସାଧାରଣ ଲୋକଙ୍କ ସହ ଏହା ଖେଳ ନୁହେଁ କି? ଅନ୍ୟପଟେ କେତେକ ଉପଭୋକ୍ତାଙ୍କ ଅଭିଯୋଗ ଯେ, ଉକ୍ତ ASO ନିଜ ପଦବୀର ଦମ୍ଭ ଦେଖାଇ “ମୁଁ ସମ୍ବଲପୁରର ପିଲା, କାହାକୁ ଭୟ କରେନି” ବୋଲି କହୁଥିବା ସହ ମିଟର ଖରାପ ହେଲେ, ଆମେ ତମର ଠିକା ନେଇନୁ ଯେ ଆମେ ବନାଇଦେବୁ କି?”ବୋଲି କହିବା ସହ ମନମୁତାବକ କାମ କରୁଥିବା ଅଭିଯୋଗ ଆସିଛି । ସ୍ଥାନୀୟ ଲୋକଙ୍କ ମତାନୁସାରେ, ସିନାପାଲି ଅଞ୍ଚଳରେ ସାମାନ୍ୟ ପବନ କିମ୍ବା ଗଛର ପତ୍ର ହଲିଲେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରାଯାଉଛି । ବିଦ୍ୟୁତ ସମସ୍ୟା ହେଲେ ତୁରନ୍ତ ସମାଧାନ ପରିବର୍ତ୍ତେ ଲୋକଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ଏହା ସହ ଭୁଲ ବିଲ୍ ପାଇଁ ଉପଭୋକ୍ତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ସରକାରୀ ନିୟମ ଅନୁଯାୟୀ ଜଣେ କର୍ମଚାରୀ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ରହିବା ଉଚିତ୍ ନୁହେଁ ବୋଲି କୁହାଯାଉଥିବା ବେଳେ, ଉକ୍ତ ଅଧିକାରୀ ପ୍ରାୟ ପାଞ୍ଚ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଉପଭୋକ୍ତାଙ୍କୁ ହଇରାଣ କରୁଥିବା ନେଇ ମଧ୍ୟ ସ୍ଥାନୀୟ ମହଳରେ ଚର୍ଚ୍ଚା ଚାଲିଛି । ଏହି ସମସ୍ତ ଘଟଣାକୁ ନେଇ ସିନାପାଲିରେ ବିଦ୍ୟୁତ ସେବା ପ୍ରତି ଲୋକଙ୍କ ଆସ୍ଥା କ୍ରମେ କମିବାରେ ଲାଗିଛି । ସାଧାରଣ ଉପଭୋକ୍ତାମାନେ ପାରଦର୍ଶୀ ସେବା, ସଠିକ୍ ବିଲିଂ ଓ ସମ୍ମାନଜନକ ବ୍ୟବହାର ଦାବି କରିଥିବା ବେଳେ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ସହ ଯଥାଚିତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି ।