ପ୍ରାଚୀନ ଶୈବ ପୀଠ ବୈଦ୍ୟନାଥ ଚଡକ ଯାତ୍ରା ପାଇଁ ଚଳ ଚଞ୍ଚଳ ।
ବାଲିଆପାଳ ୧୦/୦୪ ( ସନ୍ୟାସୀ ବେହେରା ) : ଶିବ ଆଶୁତୋଷ । ପ୍ରତ୍ୟେକ ଭକ୍ତର ସେ ଆଶା ପୂରଣ କରନ୍ତି। ସେଥିପାଇଁ ପ୍ରତି ଗାଁ ରେ ଶିବାଳୟ ରହିଛି। କେଉଁଠି ଶକ୍ତି ସହିତ ଜ୍ୟୋତିର୍ଲିଙ୍ଗ ବିରାଜିତ ତ କେଉଁଠି ପୁଣି ଜ୍ୟୋତିର୍ଲିଙ୍ଗ ବିନା ଶକ୍ତି ବିରାଜିତ। ଏଥିପାଇଁ ତ ଶିବ ମହିମା କାହିଁ କେତେ। ଶିବ ତୃପ୍ତ ହେଲେ ଭକ୍ତର ଅଭିଷ୍ଟ ପୂରଣ ହୁଏ। ଏହା ଏକ ଲୋକ ବିଶ୍ୱାସ। ଏହି ବିଶ୍ୱାସ ଅବହମାନ କାଳରୁ ରହି ଆସିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଏହି ଧାରଣାକୁ ଆଜି ସୁଦ୍ଧା ବଦଳାଇ ପାରି ନାହିଁ। ଯୁଗ ଯୁଗକୁ ମଧ୍ୟ ରହି ଥିବ। ବ୍ରହ୍ମା, ବିଷ୍ଣୁ , ମହେଶ୍ୱର ତ୍ରିଦେବଙ୍କ ମଧ୍ୟରୁ ଶିବ ହିଁ ତ୍ୱରିତ ଅଭୟ ବର ପ୍ରଦାନ କରନ୍ତି। ଶିବ ପୁରାଣରେ ଶିବ ମହିମାର ରୋଚକ କଥା ରହିଛି। ଅଭୟ ବର ପ୍ରାପ୍ତି ପାଇଁ ମଣିଷ କେଉଁଠି ଶିବାଳୟ ପ୍ରତିଷ୍ଠା କରିଛି ତ କେଉଁଠି ଶିବ ଜଟାଧାରୀ ଲୀଳା ପ୍ରକଟ ପାଇଁ ସ୍ୱୟଂ ଆବିର୍ଭାବ ହୋଇଛନ୍ତି। ଏହି ଭଳି ମହାଦେବ ସ୍ୱୟଂ ପ୍ରକଟ ହୋଇଥିବା ଏକ ଶିବାଳୟ ନାଁ ହେଉଛି ବୈଦ୍ୟନାଥ। ବାଲିଆପାଳ ପୁଲିସ ଷ୍ଟେସନ ଠାରୁ ଉତ୍ତରକୁ ତିନି କିମ୍ବା ଚାରି କିଲୋମିଟର ରାସ୍ତା ଅତିକ୍ରମ କଲେ ପଡେ ଏକ ଗାଁ କୁଦମାନସିଂ ।ଏହି ଗାଁ ରେ ବିରାଜମାନ ପୂରାତନ ବୈଦ୍ୟନାଥ ପୀଠ। ମନ୍ଦିର ର ପୂର୍ବ ପାର୍ଶ୍ୱ ଦେଇ ବହି ଯାଇଛି ପୁଣ୍ୟ ତୋୟା ନଦୀ ସୁବର୍ଣ୍ଣ ରେଖା।ଆଜକୁ ଶହେ ବର୍ଷ ତଳେ ଏହି ଠାରେ ଥିଲା ଘଞ୍ଚ ଅରଣ୍ୟ। ହିଂସ୍ର ଜୀବ ଯାନ୍ତୁଙ୍କ ଅଡ୍ଡା ସ୍ଥଳୀ। ହଠାତ ଗାଁ ରେ ଏକ ଅଦ୍ଭୁତ କଥା ପ୍ରଘଟ ହେଲା। ଗାଁ ର ରବୀନ୍ଦ୍ର ସାହୁ ବୈଦ୍ୟନାଥଙ୍କ ଆବିର୍ଭାବର ସ୍ୱପ୍ନା ଦେଶ ଲୋକଙ୍କୁ ଡକାଇ ବଖାଣି ବସିଲେ। ସାମାନ୍ୟ ମାଟି ଖୋଳା ଯିବାରୁ ଶିବଙ୍କ ଜ୍ୟୋତିର୍ଲିଙ୍ଗ ଦେଖାଗଲା। ରବୀନ୍ଦ୍ର ଗାଁ ଲୋକଙ୍କ ସହାୟତାରେ ଏକ ଚାଳିଆ ନିର୍ମାଣ କରି ବୈଦ୍ୟନାଥଙ୍କୁ ପ୍ରତ୍ୟେହ ଆରାଧନା କଲେ। ରବୀନ୍ଦ୍ର ହେଉଛନ୍ତି ବୈଦ୍ୟନାଥଙ୍କ ପ୍ରଥମ ପୂଜକ।ସମ୍ଭବତଃ ଏଠିକାର ମହାଦେବଙ୍କୁ ବୈଦ୍ୟନାଥ ନାମ ଦେଇ ଥାଇ ପାରନ୍ତି । ରବୀନ୍ଦ୍ରଙ୍କ ଅନ୍ତେ ଗାଁ ଲୋକ ଗାଁ ବ୍ରାହ୍ମଣଙ୍କୁ ବୈଦ୍ୟନାଥଙ୍କ ପୂଜା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ପ୍ରାୟେ ଦଶ ଅଥବା ବାରବର୍ଷ ପରେ ଗ୍ରାମର ସ୍ବର୍ଗତ ହରପ୍ରସାଦ ସାହୁ, ଚକ୍ରଧର ପାତ୍ର, ଅଙ୍କୁର ପାତ୍ର, ଚକ୍ରଧର ପାଳ,ଭାନୁ ଚରଣ ସାହୁ, ଦିବାକର ସାହୁ, ସାଧୁ ଚରଣ ମାହାଳିକ, ଲଷ୍ମୀ ନାରାୟଣ ବେହେରା, ଦେବେନ୍ଦ୍ର ମଲ୍ଲିକ,ରାମନାଥ ଜେନା, କାଳି ଚରଣ ପାତ୍ର, ଯତୀନ୍ଦ୍ର ପାତ୍ର, ମଧୁ ସୂଦନ ସାହୁ, ଅନନ୍ତ ପାତ୍ର, ପଞ୍ଚାନନ ଜେନା, ତ୍ରୈଲୋକ ଜେନା, ଠକର ପାତ୍ର, ପାଗିଲି ପାତ୍ର, ସୃଷ୍ଟିଧର ଦାସ, ମହେଶ୍ୱର ଜେନା, ସୁଦର୍ଶନ ଜେନା ପ୍ରମୁଖ ବୈଦ୍ୟନାଥଙ୍କ ମନ୍ଦିର ତୋଳାଇଛନ୍ତି । ଯାହା ଅଦ୍ୟାବଧି ବିଦ୍ୟମାନ।ପୂର୍ବରୁ ଜାଗର ଯାତ୍ରା ଖୁବ ଧୂମ ଧାମରେ ପାଳନ ହେଉଥିଲା। ଚାରି ବର୍ଷ ତଳେ ଗ୍ରାମ ବାସୀଙ୍କ ଉଦ୍ୟମରେ ବୈଦ୍ୟନାଥଙ୍କ ଚଡକ ଯାତ୍ରା ଆରମ୍ଭ ହୋଇଛି । ଚଳିତ ବର୍ଷ ନୀଳ ଓ ପାଟ ଯାତ୍ରା ପାଇଁ ଭକ୍ତାଙ୍କ ଗହଳି ସହିତ ଗ୍ରାମବାସୀଙ୍କ ସମାବେଶ ଖୁବ ମୁଗ୍ଧ ପରିବେଶ ସୃଷ୍ଟି କରିଛି। ଚଡକ କମିଟି ତରଫରୁ ପାଟ ଭକ୍ତା ରମେଶ ଚନ୍ଦ୍ର ସାହୁ, ଦେଉଳିଆ ଅନାଦି ଚରଣ ସାହୁ, ଶ୍ରୀ ବିକିଡ଼ି ସଞ୍ଜୟ କୁମାର ସାହୁ, ଚର୍ଚ୍ଚକ ସେବକ ବିଜୟ କୁମାର ସାହୁ ରହିଥିବା ବେଳେ ଅନ୍ୟମାନେ ହେଲେ , କରୁଣାକର ପାତ୍ର, ସୁଦାମ ଚରଣ ଜେନା, ନିରଞ୍ଜନ ମଲ୍ଲିକ, ସୁଶାନ୍ତ ବେହେରା, ଗୋପାଳ ପାତ୍ର, ସଦାନନ୍ଦ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ଜୟନ୍ତୀ ଜେନା, ଲଷ୍ମଣ ଜେନା, ଶୁଭ୍ରାଂଶୁ ପାତ୍ର, ଶରତ ସାହୁ, ବିନୋଦ ପାତ୍ର ଓ ଅଙ୍କିତ ଜେନା । ବୈଦ୍ୟନାଥଙ୍କ ଅପାର କରୁଣା ଯୋଗୁଁ ଦୂର ଦୂରାନ୍ତରୁ ଭକ୍ତ ମାନେ ଏହି ପୀଠକୁ ଆସିଥାନ୍ତି। ସେମାନଙ୍କ ମାନସିକ ପୂରଣ ହେଉଥିବାରୁ ବୈଦ୍ୟନାଥଙ୍କ ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ ରହିଛି। ମାତ୍ର ଏହି ପୀଠର ବିଶେଷ ଉନ୍ନତି ହୋଇ ପାରିନାହିଁ। ସୁବର୍ଣ୍ଣ ରେଖା ନଦୀର ବଢ଼ି ପାଣି ମନ୍ଦିର ଭିତରକୁ ପଶି ଯାଏ। ମନ୍ଦିରକୁ ସୁ ଉଚ୍ଚ କରାଯିବା ଦରକାର। ମନ୍ଦିର ଚତୁର୍ପାଶ୍ୱ ଜବର ଦଖଲ ମୁକ୍ତ ହେବା ସହିତ ସୁ ଉଚ୍ଚ ମଧ୍ୟ ହେବା ଦରକାର। ଫଳରେ ବୈଦ୍ୟନାଥଙ୍କ ମହିମା ଆହୁରି ପରିବ୍ୟାପ୍ତ ହୋଇ ପାରନ୍ତା।