Hot Posts

6/recent/ticker-posts

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ: ରାଜସ୍ୱ ଆଦାୟରେ ୮୭% ସଫଳତା, ଅବୈଧ ବ୍ୟବସାୟ ଉପରେ କଡ଼ା ନଜର

ନୂଆପଡା, ୧୦/୦୪ ( ବନ ବିହାରୀ ମେହେର ) : ନୂଆପଡା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନିର୍ଦ୍ଧାରିତ ୩୦,୧୧,୦୦,୦୦୦ ଟଙ୍କା ରାଜସ୍ୱ ଲକ୍ଷ୍ୟ ବିପରୀତ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୨୬,୩୦,୯୬,୯୧୧ ଟଙ୍କା ଆଦାୟ ହୋଇ ୮୭.୩୭ ପ୍ରତିଶତ ସଫଳତା ହାସଲ ହୋଇଥିବା ଜଣାପଡିଛି। ବିଶେଷ କରି ମାର୍ଚ୍ଚ ମାସରେ ୮,୮୦,୭୯,୭୫୬ ଟଙ୍କା ଆଦାୟ ହୋଇଥିବା ସହ ପୂର୍ବବର୍ଷ ତୁଳନାରେ ୨.୭୩ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ଅବକାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଗତି ଆସିଥିବା ଦେଖାଯାଇଛି। ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୧୯୪୨ଟି ମାମଲା ଚିହ୍ନଟ ହୋଇଥିବାବେଳେ ୧୨୦୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୦୯୦ ଜଣଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି। ଏହା ସହ ୧୧୫୬ଟି ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଏନ୍‌ପିଡିଏସ୍‌ ମାମଲାମାନେ ମଧ୍ୟ ଚିହ୍ନଟ ହୋଇଛି। ଏହି ସମୟସୀମାରେ ବହୁ ପରିମାଣର ଦେଶୀ ଓ ବିଦେଶୀ ମଦ (IMFL), ବିଅର, ମହୁଲ ଫୁଲ, ଗଞ୍ଜେଇ, କଫ୍‌ ସିରପ ଓ ଅନ୍ୟାନ୍ୟ ଅବୈଧ ଦ୍ରବ୍ୟ ଜବତ ହୋଇଥିବା ବିବରଣୀ ବୈଠକରେ ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲାପାଳ ଅବୈଧ ମଦ ବିକ୍ରି ଓ ଚୋରା ଚାଳାନକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସହ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ଶ୍ରୀମତୀ ହୀରାବତୀ ଥାଟି, ଶ୍ରୀମତୀ ବୃନ୍ଦାବତୀ ଭୁଆ, ଏ.ଏସ୍‌.ଆଇ. ବଳଭଦ୍ର ରାଉତ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ