ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଜନ୍ମଦିନରେ ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର, ୬୩ ୟୁନିଟ୍ ସଂଗ୍ରହ
ଫୁଲବାଣୀ, ୧୦/୦୪ (ଅଚ୍ୟୁତ ଜାନୀ) : ଫୁଲବାଣୀ ବିଧାୟକ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମା ଚରଣ ମଲିକଙ୍କ ୬୩ତମ ଜନ୍ମଦିବସ ଅବସରରେ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟର ରକ୍ତଭଣ୍ଡାରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କନ୍ଧମାଳ ଯୁବମୋର୍ଚ୍ଚା ସଭାପତି ଦିବ୍ୟ ରଞ୍ଜନ ଡାକୁଆଙ୍କ ନେତୃତ୍ୱରେ ଏହି ଶିବିର ସଫଳତାର ସହ ସମ୍ପନ୍ନ ହୋଇଥିଲା।ଶିବିରରେ ବହୁ ଛାତ୍ରଛାତ୍ରୀ ଓ ବିଜେପି କାର୍ଯ୍ୟକର୍ତ୍ତା-ନେତୃତ୍ୱବୃନ୍ଦ ଉତ୍ସାହପୂର୍ଣ୍ଣ ଭାବେ ରକ୍ତଦାନ କରିଥିଲେ। ସର୍ବମୋଟ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଏହା ସହିତ ମେଡିକାଲରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ସେବାମୂଳକ କାର୍ଯ୍ୟକୁ ଆହୁରି ଅର୍ଥପୂର୍ଣ୍ଣ କରାଯାଇଥିଲା ।ରକ୍ତଦାନ ଶିବିରକୁ ରକ୍ତଦାନ ସମିତିର କାର୍ଯ୍ୟକର୍ତ୍ତା ଭି. ଲୋକନାଥ ରାଜୁ, ମନୋଜ ଚୌଧୁରୀ ଓ ଶଶିଭୂଷଣ ପ୍ରଧାନ ପରିଚାଳନା କରିଥିବା ବେଳେ, ରକ୍ତଭଣ୍ଡାର ଅଧିକାରୀ ଓ ଲ୍ୟାବରେଟୋରି ଟେକନିସିଆନ ମାନେ ରକ୍ତ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରତିନିଧି ଅନିଲ କୁମାର ପ୍ରଧାନ, ଫୁଲବାଣୀ ନଗର ସାଧାରଣ ସମ୍ପାଦକ ଅମରେନ୍ଦ୍ର ବେହେରା, ନଗର ଯୁବମୋର୍ଚ୍ଚା ସଭାପତି ରତନ ଚୌଧୁରୀ ଓ ଯୁବନେତା ଆଶିଷ ନାୟକ ସହ ବହୁ ସ୍ୱେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ।ଏହି ଅବସରରେ ରକ୍ତଦାନ ସହ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଜନ୍ମଦିବସ ପାଳନ କରାଯାଇଥିବାରୁ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଛି।