Hot Posts

6/recent/ticker-posts

ଝଗଡପଟାରେ ଭବ୍ୟ ପଞ୍ଚଦଶ ଅଷ୍ଟଶମ୍ଭୁ ମହାମିଳନ–୨୦୨୬ : ହଜାର ହଜାର ଭକ୍ତଙ୍କ ସମାଗମରେ ଉତ୍ସବମୟ ପରିବେଶ

ଖଜୁରୀପଡ଼ା, ୯/୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଆର୍ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଝଗଡପଟା ଠାରେ ବୁଧବାର ଦିନ ପଞ୍ଚଦଶ ଅଷ୍ଟଶମ୍ଭୁ ମହାମିଳନ–୨୦୨୬ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଧାର୍ମିକ ଉତ୍ସାହ ଓ ପାରମ୍ପରିକ ରୀତିନୀତିରେ ଭରିଥିବା ଏହି ମହାମିଳନରେ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା। ପୂର୍ବାହ୍ନରେ ଦଣ୍ଡଥଳ ବରଣ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣଲତା କହଁର ଓ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ଉପସ୍ଥିତ ଥିଲେ।ଅଷ୍ଟଶମ୍ଭୁ ମହାମିଳନରେ ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର (ଟେଙ୍ଗେରୀ), ଯୋଗେଶ୍ୱର (ଖଲିବେରଣା), ସିଦ୍ଧେଶ୍ୱର (ବନ୍ଧାପଥର), କେଦାରେଶ୍ୱର (ଖଣ୍ଡପଡା), ଭୋଳେଶ୍ୱର (ବବଡଙ୍ଗିଆ), ଚମ୍ପେଶ୍ୱର (କରଡି), ଗୁପ୍ତେଶ୍ୱର (ବଘିଆପଡା) ଓ ଗୋକୁଳେଶ୍ୱର (ଜାମପାଲି) ଦଣ୍ଡଥଳ ଅଂଶଗ୍ରହଣ କରିଥିଲେ। ହରିବୋଲ ଓ ହୁଳହୁଳିର ଧ୍ୱନି ମଧ୍ୟରେ ଗେଟ୍ ଠାରୁ ଦଣ୍ଡଥଳମାନଙ୍କୁ ବରଣ କରାଯାଇଥିଲା। ଦିନ ବେଳାରେ ଦଣ୍ଡଥଳମାନେ ଧୂଳିଦଣ୍ଡ, ପାଣିଦଣ୍ଡ ସହ ପାରମ୍ପରିକ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ସଂଧ୍ୟା ସମୟରେ ପାଣିଘାଟରେ ନିତ୍ୟକର୍ମ ସମ୍ପାଦନ ପରେ ରାତ୍ରୀ ୭ଟାରୁ ମହାମିଳନ ପଡିଆରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ତଥା ଦୃଢ଼ ଯୁବ ସଂଗଠକ ଶ୍ରୀ ଗୋଲକ ବିହାରୀ କହଁର ଫିତା କାଟି ଉଦଘାଟନ କରିଥିଲେ। ଏହାସହ ମିଣିଆ ସରପଞ୍ଚ ଶ୍ରୀ ଗୌତମ ମଲିକ, ଖଜୁରୀପଡ଼ା ଏସ୍‌ଟି ମୋର୍ଚ୍ଚା ସଭାପତି ଶ୍ରୀ ସୁଜିତ କୁମାର ମଲ୍ଲିକ, ଜିଲ୍ଲା ସାଂସ୍କୃତିକ ସଭାପତି ଅକ୍ଷୟ କର୍ଣ୍ଣ, କୁଇ ସମାଜ ସେବା ସମିତି ଫୁଲବାଣୀ କେନ୍ଦ୍ର ଉପସଭାପତି ତଥା ସମାଜସେବୀ ରମାକାନ୍ତ ମଲ୍ଲିକ, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ତଥା ସାମ୍ବାଦିକ ଅଚ୍ୟୁତ ଜାନୀ ଓ କୁଇ କବି ଅର୍ଜୁନ କହଁର, ପୂର୍ବତନ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଗୋଲକ ମଲିକ ଉପସ୍ଥିତ ଥିଲେ। ମହାସିଦ୍ଧ ରାତ୍ରୀ ୧୧ଟାରେ କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ, ଏହି ମହାମିଳନକୁ ଦେଖିବା ପାଇଁ କନ୍ଧମାଳ ସହ ବାହାର ଅଞ୍ଚଳରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ମହାମିଳନକୁ ସଫଳ କରିବାରେ କମିଟି ସଭାପତି ଶ୍ରୀ ବିଷ୍ଣୁ ଚରଣ ବାଘ, ସମ୍ପାଦକ ଶେଷଦେବ ପ୍ରଧାନ, ଉପସଭାପତି କିରାଟ ବେହେରା, ସହ-ସମ୍ପାଦକ ସୁବାଷ ବେହେରା, କୋଷାଧ୍ୟକ୍ଷ ଯୁଗେଶ୍ୱର ବେହେରା ଓ ଉପଦେଷ୍ଟାମଣ୍ଡଳୀ ସହ ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା।