Hot Posts

6/recent/ticker-posts

ଆସ କିଣିବା ବହିଟିଏ’ ଅଭିଯାନର ଭବ୍ୟ ଶୁଭାରମ୍ଭ : ଫୁଲବାଣୀରେ ପୁସ୍ତକ ମେଳାକୁ ଭିଡ଼

ଫୁଲବାଣୀ, ୦୯/୪ (ଅଚ୍ୟୁତ ଜାନୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଚାଲିଥିବା ‘ଓଡ଼ିଶା ପକ୍ଷ–୨୦୨୬’ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ପୁସ୍ତକ ମେଳା ସହ ‘ଆସ କିଣିବା ବହିଟିଏ’ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଦେବଭୂଷଣ ନିଜେ ପୁସ୍ତକ କ୍ରୟ କରି ଅଭିଯାନକୁ ଆରମ୍ଭ କରିବା ସହ ସମସ୍ତଙ୍କୁ ବହି କିଣି ପଢ଼ିବା ପାଇଁ ଆହ୍ୱାନ କରିଥିଲେ।ଜିଲ୍ଲାପାଳ କହିଥିଲେ ଯେ, ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ପ୍ରତ୍ୟେକ ଘରେ ବହି ରହିବା ଆବଶ୍ୟକ। ଓଡ଼ିଶା ପକ୍ଷ ପାଳନ ସମୟରେ ମାତୃଭାଷାର ପୁସ୍ତକ ପଢ଼ିବା ସହ ଅନ୍ୟମାନଙ୍କୁ ବହି ଉପହାର ଦେବା ପାଇଁ ସେ ଅନୁରୋଧ କରିଥିଲେ।ସକାଳେ ଆୟୋଜିତ ଏହି ପୁସ୍ତକ ମେଳାରେ ବିଭିନ୍ନ ବର୍ଗର ପାଠକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଆ କ୍ଲାସିକ୍ ସାହିତ୍ୟରୁ ଆରମ୍ଭ କରି ସାମ୍ପ୍ରତିକ ଶିଶୁ ସାହିତ୍ୟ ପର୍ଯ୍ୟନ୍ତ ଅନେକ ପୁସ୍ତକ ରିହାତି ଦରରେ ଉପଲବ୍ଧ ଥିଲା, ଯାହା ପାଠକମାନଙ୍କୁ ବିଶେଷ ଆକର୍ଷିତ କରିଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ, ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଓ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଅପରାହ୍ନରେ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଠାଗାର ପରିସରରେ ‘ଆସ ବହି ପଢିବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସାମୂହିକ ପଠନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସହ ବରିଷ୍ଠ ଅଧିକାରୀ, ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।ପାଠାଗାର ପରିବେଶରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଓଡ଼ିଆ ପୁସ୍ତକ ପଢ଼ିବା ସହ ତାହାର ବିଷୟବସ୍ତୁ ଉପରେ ପରସ୍ପର ଆଲୋଚନା କରିଥିଲେ। ଏହି ଉଦ୍ୟମର ମୂଳ ଉଦ୍ଦେଶ୍ୟ ହେଲା ନୂତନ ପିଢ଼ି ଓ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା।