Hot Posts

6/recent/ticker-posts

ମାରାଗୁଡା ଲୋକମହୋତ୍ସବ–୨୦୨୬ର ଚତୁର୍ଥ ସନ୍ଧ୍ୟା: ସାଂସ୍କୃତିକ ସଭା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନ, ଜୟଶ୍ରୀ ଧଳଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ନୂଆପଡ଼ା, ୦୪/୦୪ ( ବନ ବିହାରି ମେହେର ) : ନୂଆପଡ଼ା ଜିଲ୍ଲାର ଐତିହ୍ୟବାହି “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ଚତୁର୍ଥ ସନ୍ଧ୍ୟା ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।  ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ବିଭିନ୍ନ ବରେଣ୍ୟ ଅତିଥିମାନଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଗରିମାମୟ କରିଥିଲା। ସଭାପତି ଭାବେ ଶ୍ରୀମତୀ ସୁର୍ମି ସୋରେନ, ଉପ-ଜିଲ୍ଲାପାଳ, ନୂଆପଡ଼ା ସଭାକୁ ସଫଳ ଭାବେ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଏରିକ ଗିଲବର୍ଟ ଜୋଶ, କମାଣ୍ଡାଣ୍ଟ, ୨୧୬ ବଟାଲିଆନ ଯୋଗଦେଇ ଲୋକସଂସ୍କୃତିର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜୟଲାଲ ଚନ୍ଦ୍ରକାର (ଲବ୍ଧପ୍ରତିଷ୍ଠ ଶିକ୍ଷାବିତ୍), ଶ୍ରୀମତୀ ସ୍ମୃତି ସିଂ ମାଝୀ, ଶ୍ରୀମତୀ ଆଶା ଜୈନ, ଶ୍ରୀ ମାଲ୍ୟବନ୍ତ ସୁନା, ଭାନୁ ପ୍ରତାପ ସିଂ ମାଝୀ (ଜିଲ୍ଲା ପରିଷଦ ସଦସ୍ୟମାନେ), ଶ୍ରୀମତୀ ଦୀପିକା ଦୀପ (ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ) ଓ ଶ୍ରୀମତୀ ମାଧବୀ ଲତା, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର), ନୂଆପଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ସାମାଜିକ ଜୀବନରେ ସାହିତ୍ୟ ଓ ସଂସ୍କୃତିର ଭୂମିକା ଉପରେ ମନନୀୟ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରେଣ୍ୟ ଅତିଥିମାନଙ୍କ ଶୁଭ ଆଗମନ ପରେ ପ୍ରଦୀପ ପ୍ରଜ୍ଜଳନ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମଞ୍ଚରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତରେ ସଭାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି.ରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜୟଲାଲ ଚନ୍ଦ୍ରକାର (ବରିଷ୍ଠ ଶିକ୍ଷାବିତ୍ ଓ ସମାଜସେବୀ), ମଧୁସୂଦନ ପାଣିଗ୍ରାହୀ (ଅଭିନେତା), ହରିଶ କୁମାର ଅହିର (କ୍ରୀଡାବିତ୍), ଶ୍ରୀମତୀ ଲକିତା ନିଆଲ (କଣ୍ଠଶିଳ୍ପୀ ଓ ଅଭିନେତ୍ରୀ), ଡଗରେଶ୍ବର ବାଗ (ବରିଷ୍ଠ ସଂଚାର ବାୟକ), ପ୍ରତାପ ସାହୁ (କଣ୍ଠଶିଳ୍ପୀ), ରଶ୍ମୀ ରଞ୍ଜନ ଜୋଶୀ (ବିଦ୍ୟୁତ ସେବାରେ ଦୀର୍ଘଦିନ ଅବଦାନ), ଜିତେନ୍ଦ୍ର ନାଥ ପଟ୍ଟନାୟକ (କଳାପ୍ରେମୀ) ଓ ସାମୁଏଲ ଦାନୀ (ଶିକ୍ଷାବିତ୍) ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଶ୍ରୀମତୀ ପ୍ରେମଶିଳା ନାଗ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ବୋଡ଼େନ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆମାନାରା, ଜ୍ଞାନଜ୍ୟୋତି ବିଦ୍ୟାଳୟ, ନୂଆପଡ଼ା, କୁନାଲ ବଜାଶାଲ, କୋଟମାଲ, ଢୋଲ ମହୁରି ସାଂସ୍କୃତିକ ଅନୁଷ୍ଠାନ, ନୂଆପଡ଼ା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁଜଲିମୁଣି ଭଳି ବିଭିନ୍ନ ଦଳ ମନୋହର ପ୍ରଦର୍ଶନ କରିଥିଲେ। ଜସେଇପାଣିର ବୁଢାରଜା ଘୋଡ଼ା ନାଚ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ପରବର୍ତ୍ତୀକାଳରେ ବିଶେଷ ଆକର୍ଷଣ ଭାବେ ଲୋକପ୍ରିୟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଓ ସାଥୀମାନଙ୍କ ସଙ୍ଗୀତାନୁଷ୍ଠାନ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଚତୁର୍ଥ ସନ୍ଧ୍ୟାରେ ବିପୁଳ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା।