କନ୍ଧ ଆଦିବାସୀ କଲ୍ୟାଣ ଆସୋସିଏସନ୍ ପକ୍ଷରୁ ବ୍ରହ୍ମପୁରରେ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ
କନ୍ଧମାଳ, ୧୫/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ବ୍ରହ୍ମପୁରରେ ରହୁଥିବା କନ୍ଧ ଆଦିବାସୀ କଲ୍ୟାଣ ଆସୋସିଏସନ୍ (କାକା) ପକ୍ଷରୁ ତା. ୧୪.୦୪.୨୦୨୬ ରିଖ ମଙ୍ଗଳବାର ପୂର୍ବାହ୍ନ ୧୦.୦୦ ଘଣ୍ଟିକା ସମୟରେ ସମ୍ବିଧାନ ନିର୍ମାତା ତଥା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବ ଉତ୍ସାହ ଓ ଉତ୍କଣ୍ଠାର ସହିତ ପାଳନ କରାଯାଇଛି।ଅନୁଷ୍ଠାନର ସଭାପତି ଶ୍ରୀ ବିରସେନ୍ ପ୍ରଧାନ (ସ୍ପେସିଆଲ ସେକ୍ରେଟାରୀ, RDC) ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧ ଆଦିବାସୀ ସମାଜର ଅନେକ ମହିଳା, ଛାତ୍ରଛାତ୍ରୀ ଏବଂ ସରକାରୀ-ବେସରକାରୀ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇ, ତାଙ୍କ ସ୍ମୃତିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।ପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା, ଯେଉଁଥିରେ ବାବା ସାହେବଙ୍କ ଦିଗଦର୍ଶନକୁ ଦୈନନ୍ଦିନ ଜୀବନରେ କିପରି ଅନୁପ୍ରୟୋଗ କରି ସମାଜର ସମଗ୍ର ଉନ୍ନତି ସାଧନ କରାଯାଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଶିକ୍ଷାର ମାନ ଉନ୍ନତି ସହିତ ଆଦିବାସୀ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କିପରି ସମ୍ଭବ, ତାହା ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲା।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟମାନେ ଶ୍ରୀ ରାମେଶ୍ୱର ପ୍ରଧାନ, ଅନ୍ତର୍ଯ୍ୟାମୀ କହଁର, ପିତାମ୍ବର ଭୋଇ, ଶ୍ରୀମତୀ ମଧୁମାଧବୀ ପ୍ରଧାନ, ଶ୍ରୀମତୀ ଅଞ୍ଜଳି କହଁର, ଶ୍ରୀମତୀ ସଂଯୁକ୍ତା ମଲିକ, ଶ୍ରୀମତୀ ସସ୍ମିତା ପ୍ରଧାନ, ଗାୟକ ପ୍ରଧାନ, ବସନ୍ତ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର କହଁର, ଉମେଶ ଚନ୍ଦ୍ର ପ୍ରଧାନ ଓ ଉତ୍ତର ମଲ୍ଲିକ ପ୍ରମୁଖ ଯୋଗଦେଇ ନିଜ ନିଜ ମତାମତ ରଖିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା।