ପିଡିଏସ ଚାଉଳକୁ ଲୋକ ମାନେ ଶାନ୍ତି ଶୃଙ୍ଖଳା ସହିତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ବଣ୍ଟନ ହେଉଛି ବୋଲି ମତ ରଖିଛନ୍ତି ।
ସିନାପାଲି, ୨୯/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାର ସିନାପାଲି ବ୍ଲକର ଚଟିଆଗୁଡା ଗ୍ରାମପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ ଚାଉଳ ବଣ୍ଟନ କାର୍ଯ୍ୟ ବର୍ତ୍ତମାନ ସୁଚାରୁ ଭାବେ ଚାଲିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କଳ୍ପଳତା ସାଗରଙ୍କ ସକ୍ରିୟ ନେତୃତ୍ୱରେ ଏହି ବଣ୍ଟନ ପ୍ରକ୍ରିୟା ନିୟମିତ ଓ ସୁସଂଗଠିତ ଭାବେ ଅଗ୍ରସର ହେଉଛି। ଶ୍ରୀମତୀ ସାଗର ଯୋଗଦାନ କରିବା ପରଠାରୁ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି। ସେ କେବଳ ଚାଉଳ ବଣ୍ଟନ ନୁହେଁ, ହରିଶ୍ଚନ୍ଦ୍ର ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନ୍ୟାନ୍ୟ ସରକାରୀ ସୁବିଧାରେ ମଧ୍ୟ ସଚେତନତା ଓ ସଠିକ୍ କାର୍ଯ୍ୟନିଷ୍ପାଦନ ନିଶ୍ଚିତ କରୁଛନ୍ତି। ପୂର୍ବରୁ ଯୋଗାଣ ସହାୟକଙ୍କ ଅବହେଳା ଯୋଗୁଁ ଚାଉଳ ବଣ୍ଟନରେ ଅନେକ ଅନିୟମିତତା ଦେଖାଯାଇଥିବା ଅଭିଯୋଗ ଥିଲା। ଅନେକ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସମୟରେ ଚାଉଳ ବଣ୍ଟନ ନ ହେବା, ତାଲିକାରେ ନାଁ ଥିଲେ ମଧ୍ୟ ଚାଉଳ ନ ମିଳିବା, ଓ ବଣ୍ଟନ ପ୍ରକ୍ରିୟାରେ ଅସ୍ପଷ୍ଟତା ଦେଖାଯାଉଥିଲା। ଏହି ସମସ୍ୟାଗୁଡିକ ନେଇ ଲୋକମାନେ ବ୍ଲକ ପ୍ରଶାସନଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସମ୍ବନ୍ଧିତ ଯୋଗାଣ ସହାୟକଙ୍କ ବିରୁଦ୍ଧରେ କୌଣସି ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ପଦକ୍ଷେପ ନେଇ ପଞ୍ଚାୟତ କର୍ମଚାରୀ ଓ କିଛିମଜୁରିଆ ମାନଙ୍କ ସହଯୋଗରେ ସିଧାସଳଖ ଚାଉଳ ବଣ୍ଟନ କାମ ଆରମ୍ଭ କରିଛନ୍ତି। ଏହାର ଫଳରେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକମାନେ ବେଳେବେଳେ ସମସ୍ୟା ବିନା ନିଜ ଅଧିକାରର ଚାଉଳ ପାଇପାରୁଛନ୍ତି। କିଛି ଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଚାଉଳ ବଣ୍ଟନରେ ଅନିୟମିତତା ଥିବା ବୋଲି ଖବର ପ୍ରଚାର ହୋଇଥିଲା। କିନ୍ତୁ ପଞ୍ଚାୟତ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଭ୍ରାମକ ବୋଲି ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ପଞ୍ଚାୟତ ପକ୍ଷରୁ ପ୍ରତିମାସ ମାସିକ ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଛି। ଗୋଦାମ ଖୋଲି ସମୟମତେ ଚାଉଳ ବଣ୍ଟନ କରାଯାଉଥିବାରୁ ଲୋକମାନେ ନିଜ କାମ ସାରି ସହଜରେ ଚାଉଳ ନେବାକୁ ପାଉଛନ୍ତି। ଗ୍ରାମପଞ୍ଚାୟତ ସରପଞ୍ଚ ମଧ୍ୟ ଏହି ସମସ୍ତ କାର୍ଯ୍ୟରେ ସକ୍ରିୟ ଭାବେ ତଦାରଖ କରୁଥିବା ବେଳେ ଯୋଗାଣ ନିରୀକ୍ଷକ ମଧ୍ୟ ସମୟସମୟରେ କ୍ଷେତ୍ର ପରିଦର୍ଶନ କରି ବ୍ୟବସ୍ଥାର ସଠିକତା ଯାଞ୍ଚ କରୁଛନ୍ତି। ସ୍ଥାନୀୟ ଲୋକମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏହିପରି ପଦକ୍ଷେପକୁ ଭରପୁର ପ୍ରଶଂସା କରୁଥିବା ବେଳେ, ଯୋଗାଣ ବ୍ୟବସ୍ଥାରେ ପୂର୍ବରୁ ଥିବା ଅବ୍ୟବସ୍ଥା ପ୍ରତି ଅସନ୍ତୋଷ ଓ ଦାୟୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।