Hot Posts

6/recent/ticker-posts

ନବରଙ୍ଗପୁର ଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ -୧୦୦ ଦିନିଆ କ୍ୟାମ୍ପେନ ଆରମ୍ଭ

ନବରଙ୍ଗପୁର, ୨୪/୦୩ ( ଶେଖର ଖୁରା ) : ଆଜି ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସମ୍ମିଳନୀ ଗୃହରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ -୧୦୦ ଦିନିଆ କ୍ୟାମ୍ପେନ ପଦକ୍ଷେପ ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗ ଚିହ୍ନଟ"ହ୍ୟାଣ୍ଡ ହେଲ୍ଡ ଏକ୍ସ ରେ" ମେସିନ ଶୁଭ ଉଦ୍ଘାଟନ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏ ଡି ପି ଏଚ ଓ(ଟିବି) ଡ ମଳୟ ତ୍ରିପାଠୀ,ନବରଙ୍ଗପୁର ଖ୍ରୀଷ୍ଟିଆନ ଡାକ୍ତରଖାନା ଡ଼ କୈଳାଶ ଚନ୍ଦ୍ର ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ପି ଏମ (ଏନ୍ ଏଚ ଏମ) ଶଙ୍କର ଆଚାର୍ଯ୍ୟ,ସରକାରୀ ନର୍ସିଂ କଲେଜ ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାରେ ଯକ୍ଷ୍ମା ରୋଗ କୁ ପ୍ରତିରୋଧ ,ଆଧୁନିକ ଚିକିତ୍ସା ଓ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଦେଇ ସମସ୍ତେ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏ ଡି ପି ଏଚ ଓ ଡ଼ ତ୍ରିପାଠୀ ଯକ୍ଷ୍ମା ରୋଗ ର ଲକ୍ଷଣ,ଚିକିତ୍ସା,ପ୍ରତିରୋଧ,ସରକାରୀ ସହାୟତା ଉପରେ ବିଶଦ ଆଲୋଚନା କରିଥିଲେ। ଯକ୍ଷ୍ମା ନିରାକରଣ ଉପରେ ଚଳିତ ବର୍ଷ ର ବିଷୟ ବସ୍ତୁ " ହଁ ଆମେ ଯକ୍ଷ୍ମା କୁ ଶେଷ କରିପାରିବା, ଭାରତର ନେତୃତ୍ୱରେ,ଜନ ସହାୟତା ବଳରେ" ରହିଛି।ଏହି ଅବସରରେ ଆଜି ସକାଳ ୮.୦୦ ଘ ସମୟରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ରାମ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା ସହ ଆର୍ ସି ଡି ହାଇସ୍କୁଲ ପଡିଆ ଠାରେ ସମାପ୍ତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ନର୍ସିଂ ବିଦ୍ୟାର୍ଥୀ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୦ ଜଣ ବିଦ୍ୟାର୍ଥୀ ଙ୍କୁ ପୁରଷ୍କୃତ କରାଯାଇଥିଲା। ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ରେ ନବରଙ୍ଗପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ସକ୍ରିୟ ଚି଼ହ୍ନଟ ଏବଂ ଚିକିତ୍ସା ମାଧ୍ୟମରେ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ।ଜିଲ୍ଲାର ଚିହ୍ନଟ ୨୩୫ ଟି ଯକ୍ଷ୍ମା ସମ୍ଭାବିତ ଉଚ୍ଚ ବିପଦପୂର୍ଣ୍ଣ ଗ୍ରାମରେ ଆଶାକର୍ମୀ ଏବଂ ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ୧୦୦ ଦିନ ବ୍ୟାପୀ ଘରେ ଘରେ ସ୍କ୍ରିନିଂ କରାଯିବ। ହ୍ୟାଣ୍ଡ ହେଲ୍ଡ ଏକ୍ସ ରେ ମେସିନ୍ ଅତି ଆଧୁନିକ ଉପକରଣ ଅଚିହ୍ନଟ ଟିବି ମାମଲାକୁ ଚିହ୍ନଟ କରି ସମସ୍ତ ପ୍ରଭାବିତ ବ୍ୟକ୍ତିଙ୍କୁ ସମୟ ଉପଯୋଗି ଚିକିତ୍ସା ସୁନିଶ୍ଚିତ କରିବା। ଜାତୀୟ ଯକ୍ଷ୍ମା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ୫୨ ଗୋଟି truenaat ଏବଂ cbnaat ମେସିନ ଦ୍ୱାରା ଯକ୍ଷ୍ମା ପରୀକ୍ଷା କରାଯାଉଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪୩୨ ରୋଗୀଙ୍କ ମଧ୍ୟରୁ ୧୪୦୯ ଜଣ ରୋଗମୁକ୍ତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସରକାରୀ ନର୍ସିଂ କଲେଜ ଏବଂ ନବରଙ୍ଗପୁର କଲେଜ ଅଫ ନର୍ସିଂର ଛାତ୍ରୀ ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରି ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।


ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l