ଅର୍ବାନ ହାଟ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ, ବାଲି ସହିତ ଲୁହା ରଡ଼ ନିମ୍ନମାନର ଅଭିଯୋଗ
ବରୀ, ୨୪/୦୩ ( ରଂଜିତ ମହାନ୍ତି ) : ବରୀର ସର୍ବ ପୁରାତନ ବରୀ ହାଟ ବରୀ ମାଉଣ୍ଡ ବଜାରରୁ ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ସ୍ଥାୟୀ ‘ଅର୍ବାନ୍ ହାଟ’ ନିର୍ମାଣ କରାଯାଉଛି। ଯାଜପୁର ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ପକ୍ଷରୁ ଏହି ପ୍ରକଳ୍ପ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୬ଲକ୍ଷ ୮୨ ହଜାର ୮୪୦ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ କୋଟିଏରୁ ଉର୍ଦ୍ଧ୍ଵ ଏହି ପ୍ରକଳ୍ପ ନିର୍ମାଣରେ ବାଲି, ଲୁହାଛଢ଼ ଆଦି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ୨୦୨୪ ନଭେମ୍ବର ୬ ତାରିଖରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୫ ମାର୍ଚ୍ଚ ୫ ତାରିଖ ସୁଧା ଶେଷ ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା। ୨୦୨୫ ଅକ୍ଟୋବରରେ ଏହା ଉଦ୍ଘାଟିତ ହେବାର ଯୋଜନା ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୧୦ ପ୍ରତିଶତ ମଧ୍ୟ କାର୍ଯ୍ୟ ଶେଷ ହୋଇନାହିଁ। ଏଷ୍ଟିମେଣ୍ଟରେ ଢଳାଇ କାର୍ଯ୍ୟ ହେଉ କି ଇଟା ଯୋଡ଼େଇ କାର୍ଯ୍ୟ ସବୁଥିରେ ରୁଢିଆ ନଦୀର ବାଲି ବ୍ୟବହାର କରିବାକୁ ମୂଲ୍ୟ ପ୍ରଦାନ କରାଯାଇଛି। ମାତ୍ର ଅଧିକାରୀ ଓ ଠିକାସଂସ୍ଥା ମିଳିତ ହୋଇ ବିଭାଗୀୟ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ସ୍ଥାନୀୟ ନଦୀରୁ ପତଳା ବାଲି ଆଣି ଢଳାଇ ଓ ଯୋଡ଼େଇ କାମ କରୁଥିବା ଅଭିଯୋଗ ହେଉଛି । ନିମ୍ନ ମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ ରହିଥିବା ବେଳେ ଶେଷ ତାରିଖ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଉଲ୍ଲେଖ ହୋଇନାହିଁ। ଏ ନେଇ ବିଭାଗୀୟ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।