Hot Posts

6/recent/ticker-posts

କଳାହାଣ୍ଡି ପୋଲିସ ନିକଟରେ ଅସ୍ତ୍ର ଶସ୍ତ୍ର ସହ ଆତ୍ମ ସମର୍ପଣ କଲେ ୧୧ ମାଓବାଦୀ

କଳାହାଣ୍ଡି, ୧୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ କଳାହାଣ୍ଡି ପୋଲିସ ନିକଟରେ ୧୧ ଜଣ ମାଓବାଦୀ ଅସ୍ତ୍ର ଶସ୍ତ୍ର ସହ ଆତ୍ମ ସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ମାଓବାଦୀ ଓ ୪ ଜଣ ପୁରୁଷ ମାଓବାଦୀ ଥିଲେ ସମସ୍ତେ ବଂଶଧାରା- ଘୁମୁସର - ନାଗାବଳି ଡିଭିଜନର କ୍ୟାଡ଼ର ମାଓବାଦୀ ଥିଲେ। ସେମାନେ ହେଲେ ଡିଭିଜନାଲ କମିଟି ମେମ୍ବର ରାଜୁ ଓରଫ୍ ଚନ୍ଦ୍ର ଓରଫ୍ ନକୁଳ, ୫ ଏରିଆ କମିଟି ମେମ୍ବର ନଙ୍ଗଲ କୁଞ୍ଜାମ ଓରଫ୍ ଜିତୁ, ଯୋଡ଼ିଓ ସୋଡ଼ି ଓରଫ୍ ସୁନୀତା, ହିଡମେ ମିଦିଆମ୍ ଓରଫ୍ ସନ୍ଧ୍ୟା, ସୁକି ପୁନେମ୍ ଓରଫ୍ ରାନୋଟି, ମଙ୍ଗଲି ହିଡମା ଓରଫ୍ ରଞ୍ଜନି ଏବଂ ୫ ପାର୍ଟି ମେମ୍ବର କୋକସି ମାଡଭି ଓରଫ୍ ସିନ୍ଧୁ, କୁମାର ମାଡକମ୍ ଓରଫ୍ ପ୍ରମେଶ, ୱାଙ୍ଗି ମାଡଭି ଓରଫ୍ ସମୀରା, ଯୋଗୀ ଓୟାମ୍ ଓରଫ୍ ନନ୍ଦିନୀ ଓ ବିଜୁ କାଡିଆମ୍ ଓରଫ୍ ବିଜୁ।
ଏହି ୧୧ ଜଣ ମାଓବାଦୀ ଗୋଟିଏ AK 47 ରାଇଫଲ୍, ୪ ଟି SLR ରାଇଫାଲ, ଗୋଟିଏ ଇନସାସ ରାଇଫଲ୍, ଗୋଟିଏ ସିଙ୍ଗଲ ସଟ ରାଇଫଲ୍ ସମେତ ବହୁ ପରିମାଣର ଗୁଳି ଓ ମାଗଜିନ୍ ସହ କଳାହାଣ୍ଡି ପୋଲିସ ନିକଟରେ ଆତ୍ମା ସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନର୍ବାସ ଯୋଜନାରେ ଏହି ୧୧ ଜଣ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ମୋଟ ୧ କୋଟି ୩୪ ଲକ୍ଷ ୨୩ ହଜାର ୬୯୦ ଟଙ୍କା ସହାୟତା ରାଶି ଯୋଗାଇ ଦେବା ସହ ବିବାହ ନିମନ୍ତେ ଜଣଙ୍କୁ ଏକ କାଳୀନ ୨୫ ହଜାର ଟଙ୍କା, ସମସ୍ତଙ୍କ ପାଇଁ ଦକ୍ଷତା ବିକାଶ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ, ସ୍ବାସ୍ଥ୍ୟ କାର୍ଡ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ପ୍ରକାଶ କରିଛନ୍ତି। ଓଡ଼ିଶାରେ ମାଓ ସମସ୍ୟା ପ୍ରାୟ ସମାଧାନ ହୋଇ ଗଲାଣି। ସମଗ୍ର ରାଜ୍ୟରେ ଆଉ ମାତ୍ର ୧୫ ଜଣ ସକ୍ରିୟ ମାଓବାଦୀ କଳାହାଣ୍ଡି - କନ୍ଧମାଳ - ରାୟଗଡ଼ା ଜିଲ୍ଲା ସିମାବର୍ତ୍ତି ଅଞ୍ଚଳରେ ସକ୍ରିୟ ଅଛନ୍ତି। ସେମାନଙ୍କୁ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୋଲିସ ମହାନିର୍ଦ୍ଦେଶକ ଅପିଲ କରିଛନ୍ତି। ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ନକ୍ସଲ ଅପରେସନ ସଞ୍ଜୀବ ପଣ୍ଡା, ପୋଲିସ ମହାନିରୀକ୍ଷକ ଅପରେସନ ଦୀପକ କୁମାର, ସିଆରପିଏଫ ମହା ନିରୀକ୍ଷକ ଅମୀତେନ୍ଦ୍ରନାଥ ସିହ୍ନା, ଡିଆଇଜି ଏସଆଇଡବ୍ଲୁ ଆଖିଳେଶ୍ୱର ସିଂ, ଡିଆଇଜି ଏସଡବ୍ଲୁଆର୍ କେ ଭି ସିଂହ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, କନ୍ଧମାଳ ଏସପି ହରିଶ୍ ବି ସି, ରାୟଗଡ଼ା ଏସପି ସ୍ଵାତୀ ଏସ କୁମାର ଓ ନୂଆପଡ଼ା ଏସପି ଅମ୍ରିତପାଲ ସିଂହ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ଟାରଗେଟ୍ ଦେଇଛନ୍ତି। ତେଣୁ ଓଡ଼ିଶା ରାଜ୍ୟକୁ ନକ୍ସଲ ମୁକ୍ତ କରିବା ପାଇଁ ଆଗାମୀ ୧୫ ଦିନ ନକ୍ସଲ ଦମନ ଅଭିଯାନକୁ ଆହୁରି ତୀବ୍ର କରାଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।