ଶିକ୍ଷକ କ୍ରିକେଟ୍ ଚ୍ୟାମ୍ପିଅନ୍ସିପ୍–୨୦୨୬, ତେରେସିଙ୍ଗା କ୍ଲଷ୍ଟର ଚ୍ୟାମ୍ପିଅନ୍
କର୍ଲାମୁଣ୍ଡା, ୧୫/୦୩ ( ସୁଶାନ୍ତ ରଣା ) : ଟିସିସି କର୍ଲାମୁଣ୍ଡା ଓ ତେରେସିଙ୍ଗା କ୍ଲଷ୍ଟର କ୍ରିକେଟ୍ ଦଳର ସହଯୋଗରେ ଶିକ୍ଷକ କ୍ରିକେଟ୍ ଚ୍ୟାମ୍ପିଅନ୍ସିପ୍ (TCC)–୨୦୨୬ ରବିବାର କର୍ଲାମୁଣ୍ଡାରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ରେ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରର ଶିକ୍ଷକମାନେ ଅଂଶଗ୍ରହଣ କରି କ୍ରୀଡାମନୋଭାବ ଓ ସମ୍ମିଳନୀର ଉତ୍କୃଷ୍ଟ ଉଦାହରଣ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତା କର୍ଲାମୁଣ୍ଡା ବ୍ଲକ ବିଜ୍ଞାନ ସାଧନ କେନ୍ଦ୍ରର ସମ୍ପାଦକ ସଞ୍ଜୀବ କୁମାର ନାଗଙ୍କ ନେତୃତ୍ୱରେ ତେରେସିଙ୍ଗା କ୍ଲଷ୍ଟର ଦଳ ଦ୍ୱାରା ଆୟୋଜିତ ହୋଇଥିଲା।ଉଦ୍ଘାଟନୀ ଉତ୍ସବରେ ତେରେସିଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ସମାପନୀ ଉତ୍ସବରେ କାର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଥିଲେ ହେମନ୍ତ ନାଏକ (CRCC, ତେରେସିଙ୍ଗା କ୍ଲଷ୍ଟର), ବିଶିକେଶନ ସୁନା (CRCC, ରିଷିଡା କ୍ଲଷ୍ଟର), ଜୁଗଳ ନାଗ (CRCC, ଜୋରାଡୋବରା କ୍ଲଷ୍ଟର) ଓ ଉଜ୍ଜଳ କୁମାର ସାହୁ (CRCC, ରେଙ୍ଗାଲି କ୍ଲଷ୍ଟର)। ଏହି ପ୍ରତିଯୋଗିତାରେ ମୋଟ ୮ଟି କ୍ଲଷ୍ଟର ଦଳ ଅଂଶଗ୍ରହଣ କରିଥିଲେ ଏବଂ ସେଗୁଡିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍–A ରେ ତେରେସିଙ୍ଗା କ୍ଲଷ୍ଟର, ରିଷିଡା କ୍ଲଷ୍ଟର, ଗଜବାହାଲ କ୍ଲଷ୍ଟର ଓ ପୌରକେଲା କ୍ଲଷ୍ଟର ଥିଲେ। ଗ୍ରୁପ୍–B ରେ କାର୍ଲାମୁଣ୍ଡା କ୍ଲଷ୍ଟର, ରେଗେଡା କ୍ଲଷ୍ଟର, ରେଙ୍ଗାଲି କ୍ଲଷ୍ଟର ଓ ଜୋରାଡୋବରା କ୍ଲଷ୍ଟର ଅଂଶଗ୍ରହଣ କରିଥିଲେ। ଗ୍ରୁପ୍ ପର୍ଯ୍ୟାୟର ରୋମାଞ୍ଚକର ମ୍ୟାଚ୍ଗୁଡିକ ପରେ ଗ୍ରୁପ୍–A ରୁ ତେରେସିଙ୍ଗା କ୍ଲଷ୍ଟର ଓ ଗଜବାହାଲ କ୍ଲଷ୍ଟର ଏବଂ ଗ୍ରୁପ୍–B ରୁ ଜୋରାଡୋବରା କ୍ଲଷ୍ଟର ଓ ରେଙ୍ଗାଲି କ୍ଲଷ୍ଟର ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ତିମ ମ୍ୟାଚ୍ ତେରେସିଙ୍ଗା କ୍ଲଷ୍ଟର ଓ ଗଜବାହାଲ କ୍ଲଷ୍ଟର ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ତେରେସିଙ୍ଗା କ୍ଲଷ୍ଟର ୬ ଓଭରରେ ୫ ୱିକେଟ୍ ହରାଇ ୫୮ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ ଗଜବାହାଲ କ୍ଲଷ୍ଟର ୬ ଓଭରରେ ୩ ୱିକେଟ୍ ହରାଇ କେବଳ ୧୫ ରନ୍ କରିପାରିଥିଲା। ଫଳରେ ୪୩ ରନ୍ରେ ବିଜୟୀ ହୋଇ ତେରେସିଙ୍ଗା କ୍ଲଷ୍ଟର “ଶିକ୍ଷକ କ୍ରିକେଟ୍ ଚ୍ୟାମ୍ପିଅନ୍ସିପ୍–୨୦୨୬” ର ଚ୍ୟାମ୍ପିଅନ୍ ହୋଇଥିଲା। କିଶୋର ପଧାନ, ଟିକୁ ନାଏକ ଓ ଛବିଳ ନାଏକ ଅମ୍ପାୟାର ଭାବେ ଦାୟିତ୍ୱ ତୁଳାଇଥିବା ବେଳେ ବାସୁଦେବ ପଣ୍ଡା ଓ ପ୍ରିୟାଂଶୁ ସାହୁ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ।ପ୍ରତିଯୋଗିତାର ସଫଳ ଆୟୋଜନରେ ସୁଧୀର ସୁନା, ରତନ ଭୋଇ, ପ୍ରଶାନ୍ତ ସାହୁ, ପର୍ଶୁରାମ ଓଝା, ପ୍ରୀତମ ହୋବୋ ଓ ବିଶ୍ୱମ୍ବର ସରାଫଙ୍କର ବିଶେଷ ଭୂମିକା ରହିଥିଲା। ଏହା ସହ ସଞ୍ଜୟ ନାଏକ ଓ ଅନନ୍ତ ଦାସ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।