ପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଅଭିମୁଖୀକରଣ ବୈଠକ ଅନୁଷ୍ଠିତ
ଫୁଲବାଣୀ, ୦୭/୦୩ (ଅଚ୍ୟୁତ ଜାନୀ) : ଆଗାମୀ ଦିନରେ ସମ୍ଭାବ୍ୟ ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାକୁ ନେଇ ଶୁକ୍ରବାର ଦିନ ଫୁଲବାଣୀସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରୀଷ୍ମ ପ୍ରବାହ ସମୟରେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଓ ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିର ସଫଳ ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବା ଓ ସଚେତନତା ସୃଷ୍ଟି କରିବାକୁ ଯୋଜନାରେ ଗୁରୁତ୍ୱ ଦିଆଯାଇଥିବା କଥା ସେ କହିଥିଲେ।ଏହା ସହିତ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ସହ ସରକାରୀ ସୁବିଧା ସମୟମତେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। କୌଣସି ଜରୁରୀ ପରିସ୍ଥିତି ସମୟରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସ୍ତରୀୟ ‘କଣ୍ଟ୍ରୋଲ ରୁମ୍’କୁ ସକ୍ରିୟ କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସାହୁଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ, ଶିଶୁ ଓ ପରିବାର କଲ୍ୟାଣ, କର୍ମ, ନଗର ଉନ୍ନୟନ ଓ ଶକ୍ତି ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ। ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଚିରଞ୍ଜୀବ ସାହୁ ପରିଚାଳନା କରିଥିଲେ।