ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ
ରାୟଗଡ଼, ୦୬/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି | ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରି ଜାତୀୟ ଶିକ୍ଷାନୀତିକୁ ସଫଳ ରୂପାୟନ କରିବା, ଭିତ୍ତିଭୂମି, ଆନୁସଙ୍ଗିକ ବିକାଶ ସମାବେଶୀ ବିଦ୍ୟାଳୟ ପରିବେଶ ସୃଷ୍ଟି ଓ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ ଏହାର ଲକ୍ଷ୍ୟ ଏବଂ ଏହାର ପୂରଣ ଦିଗରେ ସଭିଏଁ ତତ୍ପର ହେବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି | ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ବରେଣ୍ୟ ଅତିଥି ରୂପେ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ପ୍ରମୂଖ ଉପସ୍ଥିତ ଥିଲେ | ବିଶ୍ଵ ସ୍ତରୀୟ ପ୍ଲାଟଫର୍ମ ରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ ଉଦ୍ଦେଶ୍ଯରେ ପଞ୍ଚଚାଳିଶିଟି ଷ୍ଟଲ୍ ମାଧ୍ୟମରେ ଆକଂକ୍ଷା ମେଳା, ଛାତ୍ର ପରିଷଦ, ଦୋକାନ ଯାତ୍ରା ସହ ବୃତ୍ତିଗତ ଶିକ୍ଷା, ଯାଦୁପେଡ଼ି ,ପଢିବା- ଗଢ଼ିବା ଆଦି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା | ପ୍ରଦର୍ଶନୀରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ଶିକ୍ଷଣୀୟ ଓ ଚିତ୍ତାକର୍ଷକ ଥିଲା | ଶେଷରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏଗାର ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ପ୍ରଥମ ପର୍ଯ୍ୟାୟରେ ପିଏମଶ୍ରୀ ଘୋଷିତ ଏଗାର ଗୋଟି ବ୍ଳକର ପନ୍ଦରଟି ବିଦ୍ୟାଳୟରୁ ନଅଶହ ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ |