Hot Posts

6/recent/ticker-posts

ଖଜୁରୀପଡ଼ାରେ ଏଫ୍‌ଏଲଏନ୍‌ ଗୃହ ଉଦଘାଟନ: ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କଲେ ବିଧାୟକ

ଖଜୁରୀପଡ଼ା, ୨୮/୦୩ (ଅଚ୍ୟୁତ ଜାନୀ) : ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ନୂତନ ଶିକ୍ଷାନୀତି–୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାଥମିକ ସ୍ତରରେ ଶିଶୁ ବାଟିକା ପରିକଳ୍ପନା ଆରମ୍ଭ ହୋଇଛି, ଯାହା କୁନି ପିଲାମାନଙ୍କ ପାଇଁ ଖୁସି, ଆନନ୍ଦ ଓ ସୁନ୍ଦର ଭବିଷ୍ୟତର ଭିତି ସୃଷ୍ଟି କରୁଛି।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଫ୍‌ଏଲଏନ୍‌ (Foundational Literacy and Numeracy) ଗୃହର ଉଦଘାଟନ କରାଯାଇଛି। ଏହି ଅବସରରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହଟିର ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଆସନ୍ତା ଏପ୍ରିଲ ୨ ତାରିଖରେ ଆୟୋଜିତ ହେବାକୁ ଥିବା “ପ୍ରବେଶ ଉତ୍ସବ” ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମ ପାଇଁ ଏହି ନିମନ୍ତ୍ରଣ ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ, ଏଡିଇଓ ମାନସ ରଞ୍ଜନ ଦାଶ, ଜିଲ୍ଲା ଜେଣ୍ଡର କୋଡିନେଟର ଭି. ସନ୍ଧ୍ୟା, ବିଇଓ ବିନୋଦ ବିହାରୀ ଦିଗାଲ, ଏବିଇଓ ଜ୍ୟୋତ୍ସ୍ନାରାଣୀ ମଲିକ, ନାର୍ସୁ କହଁର,ସିଆରସିସି ଅମିୟ କୁମାର ମହାନନ୍ଦ ସହିତ ଅନେକ ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଯୋଗଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦୁମତୀ ପଟ୍ଟନାୟକ ଓ ସମସ୍ତ କ୍ଲଷ୍ଟରର ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟ ସଭାପତି ରାଣୀ ମତି ମଲିକ, ୱାର୍ଡ ସଦସ୍ୟ ଦେବରାଜ ମୁଖି, ଅଙ୍ଗନବାଡ଼ି କର୍ମୀ ବିନତୀ ନାୟକ ଏବଂ ଅନ୍ୟାନ୍ୟ ଅଭିଭାବକମାନେ ଉପସ୍ଥିତ ଥିଲେ।“ଆସ ସ୍କୁଲ ଯିବା” ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ବାହାରେ ଥିବା ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷାର ମୂଳଧାରାରେ ଆଣିବା ପ୍ରୟାସ ଜାରି ରହିଛି, ଯାହା ଶିକ୍ଷା ବିକାଶରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।