ପୁଣି ଦୁର୍ବୃତ୍ତ ଲୁଟି ନେଲେ 15 ଲକ୍ଷ ଟଙ୍କା ର ଗହଣା ସହ 80 ହଜାର ଟଙ୍କା
ରାୟଗଡ଼ା, ୧୮/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡାରେ ପୁଣି ଦିନଦିଆ ଲୁଟ୍ ଘଟଣା ଆତଙ୍କ ସୃଷ୍ଟି କରିଛି। ରାୟଗଡା ଜିଲ୍ଲା ଥେରୁବାଳି ଅଞ୍ଚଳ ସିଲିପୁଟ ମଙ୍ଗଳା ମନ୍ଦିର ସାହିର ବ୍ୟବସାୟୀ ସନ୍ତୋଷ କୁମାର ମହାପାତ୍ରଙ୍କ ସହ ଏହି ଲୁଟ୍ ଘଟଣା ଘଟିଛି। ସୂଚନା ଅନୁସାରେ, ସନ୍ତୋଷ ମହାପାତ୍ର ଜଣେ ସ୍ୱଳ୍ପ ବ୍ୟବସାୟୀ ଯିଏ ସୁନା ଗହଣା ବ୍ୟବସାୟ କରୁଥିଲେ। ସେ ଗ୍ରାହକଙ୍କୁ ସୁନା ଗହଣା ବିକ୍ରି କରି କିଷ୍ତିରେ ଟଙ୍କା ସଂଗ୍ରହ କରୁଥିଲେ। ଆଜି ଦିନେ ସେ ରାୟଗଡାର ହୋଟେଲ୍ ସ୍ୱାଗତକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ସେ ତାଙ୍କ ଦୁଇଚକିଆ ଯାନକୁ ହୋଟେଲ୍ ସାମ୍ନାରେ ପାର୍କିଂ କରିଥିବା ବେଳେ, ଦୁଇଜଣ ଅଜଣା ଦୁର୍ବୃତ୍ତ ଆସି ସ୍କୁଟିର ଡିକି ଭାଙ୍ଗିଦେଇଥିଲେ। ତାହାପରେ ସେଠାରୁ ପ୍ରାୟ ୧୦୦ ଗ୍ରାମ ସୁନା ଗହଣା, ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା, ସହିତ ୮୦ ହଜାର ଟଙ୍କା ନଗଦ ଲୁଟିନେଇଥିଲେ। ଲୁଟେରାମାନେ କଳା ରଙ୍ଗର ପଲସର ବାଇକ୍ରେ ଆସିଥିବା ସୂଚନା ମିଳିଛି ଏବଂ ଘଟଣା ପରେ ସେମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଘଟଣା ବିଷୟରେ ସୂଚନା ପାଇ ପୋଲିସ ତତ୍କ୍ଷଣାତ୍ ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଖତିଆନ କରାଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଲାଶି ଜୋରଦାର କରିଛି। ଏହି ଘଟଣା ପରେ ରାୟଗଡା ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।