Hot Posts

6/recent/ticker-posts

ଆରମ୍ଭ ହୋଇ ପାରୁନି ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାର କାମ : କାହା ଚାପରେ ବ୍ଲକ ପ୍ରଶାସନ ,ଖଜୁରୀପଡ଼ାରେ ତୀବ୍ର ଅସନ୍ତୋଷ, ବିଜେପି ପକ୍ଷରୁ ଦାବିପତ୍ର

ଖଜୁରୀପଡ଼ା, ୧୭/୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଞ୍ଚଳରେ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନାର ଉନ୍ନୟନ କାର୍ଯ୍ୟ ଆରମ୍ଭ ନ ହୋଇ ପାରିବାକୁ ନେଇ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନୁମୋଦନ ହେଉଥିବା ସତ୍ତ୍ୱେ କାମ ଆରମ୍ଭ ନ ହେବାକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ଖଜୁରୀପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ସମୁଦାୟ ୭୪ଟି ପ୍ରକଳ୍ପ ପାଇଁ ପ୍ରାୟ ୪ କୋଟି ରୁ ଉର୍ଦ୍ଧ ଟଙ୍କାର ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର ଆରମ୍ଭ କରିବାକୁ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଧାୟକ ଉମା ଚରଣ ମଲିକ ପକ୍ଷରୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିବା ସତ୍ତ୍ୱେ କୌଣସି ପ୍ରଗତି ଦେଖାଯାଉ ନାହିଁ। ଏହି ପରିସ୍ଥିତିକୁ ନେଇ “କାହାର ଚାପରେ କାମ ଅଟକିଛି କି?” ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହା ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଖଜୁରୀପଡ଼ା ବ୍ଲକ ପକ୍ଷରୁ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ଓ ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ଏକ ଶହରୁ ଉର୍ଦ୍ଧ୍ବ କର୍ମୀ ଓ ଜନ ସାଧାରଣ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଏହି ଯୋଜନାର କାର୍ଯ୍ୟ ତୁରନ୍ତ ଆରମ୍ଭ ନହେଉ, ତେବେ ବ୍ଲକର ଅନ୍ୟ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବା ଦାବି ରହିଛି। ଏହା ନହେଲେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବନ୍ଦ କରିବାକୁ ବିଜେପି ବାଧ୍ୟ ହେବ ବୋଲି ସତର୍କ କରାଯାଇଛି।ଏନେଇ ବିଡ଼ିଓ ଶ୍ରୀ ବାହିନୀପତିଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ଯେ, “ଯୋଜନା ଓ ପ୍ରକ୍ରିୟା ସମ୍ପର୍କିତ କାମ ଚାଲିଛି, ଶୀଘ୍ର ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯିବ।”