କେରେଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଫୁଲବାଣୀ, ୮/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରିତାରାଣୀ କହଁର ସଭାପତିତ୍ୱ କରିଥିବା ସହ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟପ୍ରଗତି ଓ ସଫଳତା ବିଷୟରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନୁଭବ ଆଧାରରେ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ ପରିଶ୍ରମ ଓ ନିଷ୍ଠା ହିଁ ସଫଳତାର ମୂଳ ମନ୍ତ୍ର। ମୁଖ୍ୟବକ୍ତା ଭାବେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରଞ୍ଜନ କୁମାର କହଁର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମନ୍ୱିତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରମୁଖ ଖମାରୀ, ବିବି ଉଚ୍ଚ ବିଦ୍ୟାଳୟ ଲାଇନପଡାର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସୁରଜ ଦିଗାଲ ଓ ପାଞ୍ଚସଖା କମିଟି ସଭାପତି ଶ୍ରୀ ପ୍ରଭୁ ଚରଣ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷା, କ୍ରୀଡା ଓ ସାହିତ୍ୟିକ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ–ଶିକ୍ଷୟିତ୍ରୀ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ। ଶ୍ରୀମତୀ ବିସ୍ମିତା ପ୍ରଧାନ ଅତିଥିମାନଙ୍କ ଆଭ୍ୟର୍ଥନା ଓ ଧନ୍ୟବାଦ ଜ୍ଞାପନ କରିଥିଲେ। ଛାତ୍ରଛାତ୍ରୀଙ୍କ ଖାଦ୍ୟ ବ୍ୟବସ୍ଥାକୁ କ୍ରୀଡା ଶିକ୍ଷକ ଶ୍ରୀ କୃପାନିଧି ପ୍ରଧାନ ପରିଚାଳନା କରିଥିଲେ। ମଞ୍ଚ ସଜ୍ଜା, ପରିଚାଳନା ଓ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସୁଚାରୁରୂପେ ନିର୍ବାହ କରିଥିଲେ। ଅର୍ଣ୍ଣପୂର୍ଣ୍ଣା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବହୁ ସଂଖ୍ୟକ ଅଭିଭାବକ, ଗ୍ରାମବାସୀ ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ବାର୍ଷିକ ଉତ୍ସବ ସମାପ୍ତ ହୋଇଥିଲା।