ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଣ୍ଡୋସ୍କୋପି ସେବା ଆରମ୍ଭ ଉଦ୍ ଘାଟନ କଲେ ଜିଲ୍ଲା ଚିକିତ୍ସାଅଧିକାରୀ
ଫୁଲବାଣୀ, ୦୬/୦୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଗ ହୋଇଛି। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ଇଣ୍ଡୋସ୍କୋପି ମେସିନ୍ ଉଦଘାଟନ କରିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସୁବିଧା ବିସ୍ତାର ଯୋଜନା ଅନୁସାରେ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯାଇଥିବା ସହିତ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଲୋକଙ୍କ ପାଖକୁ ପହଞ୍ଚୁଥିବା ଦେଖିବାକୁ ମିଳିଛି। ଏହି ନୂତନ ମେସିନ୍ ଦ୍ୱାରା ରୋଗୀଙ୍କ ପେଟ ଓ ଶରୀର ଭିତର ଅଂଶକୁ ସଠିକ୍ ଭାବେ ପରୀକ୍ଷା କରି ଚିକିତ୍ସା ସହଜ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଉଦଘାଟନ କାର୍ଯ୍ୟକ୍ରମରେ ଡା. ପ୍ରଦୀପ କୁମାର ପାଢ଼ୀ, ଫାର୍ମାସିଷ୍ଟ ଅଫିସର ଦୁର୍ଗାପ୍ରସାଦ, ଜିଲ୍ଲା ଡାଟା ମ୍ୟାନେଜର ଅରବିନ୍ଦ ପାଣି, ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା ଓ ଗୋପାଳ କୃଷ୍ଣ ଦେହୁରୀ ସହିତ ଅନେକ ଅତିଥି ଉପସ୍ଥିତ ଥିଲେ। ଏହି ମେସିନ୍ ଦ୍ୱାରା ପ୍ରଥମ ରୋଗୀ କୁମୁଦ ଚନ୍ଦ୍ର ତ୍ରିପାଠୀଙ୍କର ସଫଳତାର ସହ ଇଣ୍ଡୋସ୍କୋପି ପରୀକ୍ଷା କରାଯାଇଥିଲା। ପାଇପ୍ର ମୁଣ୍ଡରେ ଲାଗିଥିବା ଲାଇଟ୍ ଓ କ୍ୟାମେରା ସହାୟତାରେ ଶରୀର ଭିତର ଅବସ୍ଥା ନିକଟରୁ ଦେଖି ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସୁବିଧା ଆରମ୍ଭ ହେବାରୁ ଜିଲ୍ଲାବାସୀଙ୍କୁ ଏବେ ଇଣ୍ଡୋସ୍କୋପି ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡିବ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଖୁସି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ବୁଦ୍ଧିଜୀବୀ ଓ ଶିକ୍ଷିତ ମହଳରୁ ସାଧୁବାଦ ଜଣାଯାଇଛି।