ଡ୍ରେନ କାମରେ ନାହିଁ ଫଳକ, କିନ୍ତୁ ପଞ୍ଚାୟତ ଅଫିସରେ ଥାକ ମରାଯାଉଛି ମାଣ୍ଡିଆ।
ଝରୀଗାଁ, ୦୩/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ମାନଙ୍କ ରାଜ ଦେଖିବାକୁ ମିଳୁଛି। କେତେବେଳେ ନିଜ ଲୋକଙ୍କ ନା ରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାମ ଗୁଡିକୁ ନିଜେ ସରପଞ୍ଚ ମାନେ କରୁଥିବା ବେଳେ ସେଠାରେ ଦେଖିବାକୁ ମିଳୁନାହିଁ ସାମାନ୍ୟ ସୂଚନା ଫଳକ ଟିଏ। କାମ ସାରିବା ପରେ ଯଦି କେହି ପଚାରନ୍ତି ତାହେଲେ ଉତ୍ତର ମିଳେ ଯେ ଆମେ ଗୋଟେ ଦୁଇ ଦିନ ମଧ୍ୟରେ ଲଗାଇ ଦେବୁ। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝରୀଗାଁ ବ୍ଲକର ଭାଲୁକନାଡୀ ପଞ୍ଚାୟତର ଭାଲୁକନାଡୀ ଗାଁରେ। ଗାଁରେ ପୁରୁଣା ଡ୍ରେନ ଥିବାବେଳେ ନିଜ ପକେଟ ଗରମ କରିବା ପାଇଁ ଅତି ଚତୁରତାର ସହ ସରପଞ୍ଚ ହଳଧର ବଞ୍ଜାରା ନିଜର ଜଣେ ଘନିଷ୍ଠ ଲୋକଙ୍କ ନାଁରେ ମାତ୍ର 25ମିଟର ଡ୍ରେନ କାମ କରିଛନ୍ତି। ଯାହାର କୌଣସି ସୂଚନା ଫଳକ ନଥିବା ବେଳେ କାମଟି ଅତି ନିମ୍ନମାନର। କିନ୍ତୁ ବୋଧ ହୁଏ ଉକ୍ତ ସ୍ଥାନକୁ ବିଭାଗୀୟ ଯନ୍ତ୍ରୀ ଭରତ କୃଷ୍ଣ ରାଉତଙ୍କର ପାଦ ପଡ଼ିନାହିଁ। ଏଣୁ ସେଠାରେ କଣ ଚାଲିଛି, କେମିତି ଚାଲିଛି ବାବୁଙ୍କୁ ମାଲୂମ ନାହିଁ। 25 ମିଟର ଡ୍ରେନ କାମ ପାଇଁ ଏକଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ସରପଞ୍ଚ କହୁଥିବାବେଳେ ଭିତରେ ଭିତରେ 3ଲକ୍ଷ ଟଙ୍କା ବିଲ କରାଯିବ ବୋଲି ଶୁଣାଯାଉଛି। ପୁଣି ପଞ୍ଚାୟତ ଅଫିସ ଭିତରେ ପଡି ରହିଛି 45 ବସ୍ତା ମାଣ୍ଡିଆ ଯାହାକି ପଞ୍ଚାୟତର ପିଅନ ରାଜୀବ ଯାନୀଙ୍କର। କାହା ଅନୁମତିରେ ପଞ୍ଚାୟତକୁ ନିଜ ଘର ଭଳି ବ୍ୟବହାର କରାଯାଉଛି ଓ ଏ ଉପରେ ଆଗକୁ କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା।