ଏଲ୍ ଆଣ୍ଡ୍ ଟିର ସାମାଜିକ ଦାୟିତ୍ୱବୋଧ: ବାଳମୁକୁଳିରେ ବିଶାଳ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର, ୫୪ ୟୁନିଟ୍ ରକ୍ତ ସଂଗ୍ରହ
ବିଂଝାରପୁର, ୦୯/୦୬ ( ପ୍ରଦୀପ କୁମାର ମଲ୍ଲିକ ) : ଏଲ୍ ଆଣ୍ଡ୍ ଟି (L&T)ର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଳମୁକୁଳି ଗ୍ରାମସ୍ଥିତ ଏଲ୍ ଆଣ୍ଡ୍ ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସେବାମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ବ୍ଲଡ୍ ବ୍ୟାଙ୍କ ଡାକ୍ତର ଅନୁରାଧା ଶର୍ମା, ଏଡିଏମଓ ହୃଷିକେଶ ଜେନା ଏବଂ ନର୍ସିଂ ଅଫିସର ବିଶ୍ୱ ରଞ୍ଜନ ଓଝା ଉପସ୍ଥିତ ରହି ରକ୍ତଦାତାମାନଙ୍କ ଠାରୁ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କ ମଧ୍ୟରେ ଯୁବବର୍ଗଙ୍କ ଉତ୍ସାହ ଓ ସାମାଜିକ ସଚେତନତା ବେଶ୍ ପ୍ରଶଂସନୀୟ ଥିଲା। ସେହିପରି ଚକ୍ଷୁ ପରୀକ୍ଷା ଶିବିରରେ ଭୂମିକା ଅନୁଷ୍ଠାନର ରାଜ୍ୟ ପରିଚାଳକ କର୍ଣ୍ଣାଟ କିଶୋର ଜେନା, ଉପଦେଷ୍ଟା ଭକ୍ତବତ୍ସଳ ମହାନ୍ତି, ଯାଜପୁର ଶାଖା ପରିଚାଳକ ବିଶ୍ୱଜିତ ଦାସ, ଜାରକା ଭୂମିକା ଚିକିତ୍ସାଳୟର ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଚାଳକ ଦେବେନ୍ଦ୍ର ସେଠୀ, ଅପଟମ ଜେନା, ଭିଜନ ଟେକ୍ନିସିଆନ ଡୋନା ସରକାର ଓ ରୀନା ରାଣୀ ଭଞ୍ଜ, ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ଜ୍ୟୋତି ସାହୁ, ସଙ୍ଗୀତା ଜେନା ଏବଂ ସ୍ୱାସ୍ଥ୍ୟ ସହାୟକ ସଚ୍ଚିନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। ବିଂଝାରପୁର ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୭୭ ଜଣ ବରିଷ୍ଠ ନାଗରିକଙ୍କର ଚକ୍ଷୁ ଓ ଚଷମା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୯ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇ ନିଶୁଳ୍କ ଅସ୍ତ୍ରୋପଚାର ପାଇଁ ସ୍ଥିର କରାଯାଇଛି। ଏହା ଦ୍ୱାରା ଅନେକ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏଲ୍ ଆଣ୍ଡ୍ ଟିର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ପ୍ରକଳ୍ପ ପରିଚାଳକ ଶିବ ପ୍ରସାଦ ଶତପଥୀ, ପ୍ରଶାସନିକ ପରିଚାଳକ ତାପସ ପଣ୍ଡା, ସୁରକ୍ଷା ଅଧିକାରୀ ରାହୁଲ ସିଂ ଏବଂ ଷ୍ଟୋର ପରିଚାଳକ ଜିତେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିରର ସୁଚାରୁ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏଲ୍ ଆଣ୍ଡ୍ ଟି ପକ୍ଷରୁ ବୃକ୍ଷରୋପଣ, ପାଠ ଉପକରଣ ବଣ୍ଟନ, ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଭଳି ବିଭିନ୍ନ ଜନହିତକର ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସାମାଜିକ ସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି।