ନୂଆପଡ଼ାରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ମାତୃ,ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଓ ଜନ ସଚେତନତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ l
ନୂଆପଡ଼ା, ୨୯/୦୧ ( ସୁରେଶ ମହାନନ୍ଦ ) : ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS) ସମ୍ପର୍କିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ କାର୍ଯ୍ୟନିଷ୍ପାଦନ, ପୋଷଣ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗର୍ଭବତୀ ଓ ନବମାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ “ଶାଶୁ–ବୋହୁ ମେଳି” ଓ “ସ୍ୱାମୀ–ସ୍ତ୍ରୀ ମେଳି” ପରି ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲାପାଳ କହିଲେ ଯେ , ପାରିବାରିକ ସମ୍ପର୍କ ସୁଦୃଢ଼ କରିବାରେ “ଶାଶୁ–ବୋହୁ ମେଳି” ଏକ ଫଳପ୍ରଦ ପଦକ୍ଷେପ। ଏହାର ଅନ୍ତର୍ଗତ ଶ୍ରେଷ୍ଠ “ଶାଶୁ–ବୋହୁ ଯୋଡ଼ି”ଙ୍କୁ ପୁରସ୍କୃତ କରାଯିବା ସହ “ସ୍ୱାମୀ–ସ୍ତ୍ରୀ ମେଳି” ଆୟୋଜନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଜୋର ଦେଇ ଜିଲ୍ଲାପାଳ କହିଥିଲେ ଯେ ଏହା ନୀତି ଆୟୋଗ ଅଧୀନ ଆକାଙ୍କ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ। ବିଭାଗର କାର୍ଯ୍ୟାନ୍ବୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିବା ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ସୁପରଭାଇଜରଙ୍କ ନିଯୁକ୍ତି ସମ୍ପର୍କିତ ମକଦ୍ଦମା ଓ ରିହାତି ଆଦେଶଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ସମୟରେ ଜଣାପଡ଼ିଥିଲା ଯେ ଗତ ମାସରେ ଜିଲ୍ଲାର ପାଞ୍ଚଟି ବ୍ଲକରେ ମାତୃମୃତ୍ୟୁ ଶୂନ୍ୟ ରହିଛି। ଏହି ସଫଳତାକୁ ଅବ୍ୟାହତ ରଖିବା ସହ ଶିଶୁମୃତ୍ୟୁ ହାର କମାଇବା ପାଇଁ ଆବଶ୍ୟକ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରସବ ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହେଉଥିବା ଶିଶୁମାନଙ୍କର ଡାଟାବେସ୍ ପ୍ରସ୍ତୁତ କରି ଘରକୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିବା, ଗର୍ଭବତୀ ଓ ନବମାତାଙ୍କୁ ସେକ୍ଟର ବୈଠକରେ ଡାକି ସ୍ୱାସ୍ଥ୍ୟ ପରାମର୍ଶ ଦେବା ଓ ଶିଶୁ ମାନଙ୍କର ଶ୍ଵାସରୁଦ୍ଧ ଜନିତ ମୃତ୍ୟୁ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ଜୋର ଦେଇଥିଲେ।ବୈଠକରେ ସର୍ବୋତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ଅଙ୍ଗନୱାଡ଼ି ସହାୟିକାଙ୍କୁ ଜିଲ୍ଲାପାଳ ସମ୍ମାନିତ ଓ ପୁରସ୍କୃତ କରିଥିଲେ।ଏହି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀମତୀ ସୂର୍ମି ସୋରେନ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।