Hot Posts

6/recent/ticker-posts

କୋଶଳ କଳା ମଣ୍ଡପରେ ଉଦ୍ଘାଟିତ ୨୩ତମ ବଲାଙ୍ଗିର ଲୋକଉତ୍ସବ, ସାଂସ୍କୃତିକ ଶୋଭାଯାତ୍ରାରେ ସହର ପ୍ରଫୁଲ୍ଲିତ

ବଲାଙ୍ଗିର, ୧୯/୦୧ ( ମୁକୁନ୍ଦ ବାଗ ) : ବଲାଙ୍ଗିର ଜିଲ୍ଲାର ଗୌରବମୟ ଲୋକସଂସ୍କୃତିକୁ ଉଜାଗର କରୁଥିବା ୨୩ତମ ବଲାଙ୍ଗିର ଲୋକଉତ୍ସବ ଶୁକ୍ରବାର କୋଶଳ କଳା ମଣ୍ଡପ ପରିସରରେ ଭବ୍ୟ ଭାବେ ଉଦ୍ଘାଟିତ ହୋଇଛି। ସକାଳେ ପାରମ୍ପରିକ ମଞ୍ଚ ପୂଜା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ, ପରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ଉତ୍ସବ ମହୋଳକୁ ଆହୁରି ଆନନ୍ଦମୟ କରିଥିଲା।ଶୋଭାଯାତ୍ରାରେ ମାଁ ସମଲେଇ, ମାଁ ପାଟଣେଶ୍ୱରୀ ଓ ମାଁ ଦୂର୍ଗାଙ୍କ ଦର୍ଶନ ସହ ଜିଲ୍ଲାର ଦୁଲଦୁଲି, ସଂକୀର୍ତନ ଓ କଳାହାଣ୍ଡିର କଟପାଙ୍କ ଦଳ ପରି ପାରମ୍ପରିକ ସାଂସ୍କୃତିକ ଦଳମାନଙ୍କ ଅଂଶଗ୍ରହଣ ସହରବାସୀଙ୍କୁ ମନୋହର ଅନୁଭୂତି ଦେଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ଗୌରବ ଶିୱାଜୀ ଇସଲୱାରଙ୍କ ସଭାପତିତ୍ୱରେ ଆୟୋଜିତ ଲୋକଉତ୍ସବର ପ୍ରଥମ ସନ୍ଧ୍ୟାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ବିଶି ନିଜ ଅଭିଭାଷଣରେ କହିଥିଲେ ଯେ, ବଲାଙ୍ଗିର ବୀରଙ୍କ ମାଟି ଓ ଏଠାକାର ଐତିହ୍ୟ ଯେପରି ଅନନ୍ୟ, ସେହିପରି ଏଠାର କଳା ଓ ସଂସ୍କୃତି ମଧ୍ୟ ଅଦ୍ୱିତୀୟ। ଲୋକଉତ୍ସବ ଏହି ଭିନ୍ନ ପରିଚୟକୁ ସୁଦୃଢ଼ କରିବା ସହ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହା ମାଧ୍ୟମରେ ଲୋକଙ୍କ ଅର୍ଥନୀତି ସୁଦୃଢ଼ ହେଉଥିବା ସହ କଳାକାରମାନଙ୍କ ପ୍ରତିଭାକୁ ଉଚିତ ମଞ୍ଚ ମିଳୁଛି। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ମଞ୍ଚାସୀନ ଥିବାବେଳେ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମିଶ୍ର, ସାଂସ୍କୃତିକ କମିଟିର ସହ-ଅଧ୍ୟକ୍ଷ ଗୋପାଳ ପଧାନ ଓ ସଙ୍ଗୀତା ଦାସ, ସ୍ମରଣିକା କମିଟିର ସହ-ଅଧ୍ୟକ୍ଷ ମହେନ୍ଦ୍ର ଦର୍ଜି ଓ ସନ୍ଦୀପ କୁଆଁର, ଅତିଥି କଳାକାର ଈଶ୍ୱର ଚନ୍ଦ୍ର ଖମାରୀ ଓ ସମ୍ବର୍ଦ୍ଧିତ କଳାକାର ଗୋଲାପ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଲୋକଉତ୍ସବ ଓ କୋଶଳ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବାବେଳେ, ବରିଷ୍ଠ କଳାକାର ଗୋଲାପ ଜେନାଙ୍କୁ ସମ୍ମାନନା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ, ସନ୍ଦୀପ କୁଆଁର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଦେଇଥିବାବେଳେ, ଗୋପାଳ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଜରାଟର ସିଦ୍ଧି ଧମାଲ, ଆସାମର ବିହୁ ନୃତ୍ୟ, ପଞ୍ଜାବର ଭାଙ୍ଗଡା ସହ ବଲାଙ୍ଗିରର କଳାଧାମ, ଗଞ୍ଜାମର ଯୋଡ଼ିଶଙ୍ଖ, ଖୁସି ଡ୍ୟାନ୍ସ ଏକାଡେମୀ, ସାଇ ସ୍ୱର୍ଣ୍ଣ କଳା ପରିଷଦ, କୁରେଫୁଲ କଳା ପରିଷଦ, କ୍ଲାସିକ ଡାନ୍ସ ଏକାଡେମୀ–ଟିଟଲାଗଡ଼ ଓ ଚିନିଚମ୍ପା କଳା ପରିଷଦ–ପାଟଣାଗଡ଼ ପ୍ରମୁଖ ଦଳମାନେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ।କଳା ଓ ସଂସ୍କୃତିର ଏହି ମହାମିଳନର ପ୍ରଥମ ସନ୍ଧ୍ୟାକୁ ବଲାଙ୍ଗିରବାସୀ ଖୁବ୍ ଆନନ୍ଦ ଓ ଉତ୍ସାହ ସହ ଉପଭୋଗ କରିଥିଲେ।