ବରପାଲି ଓ ସୋହେଲା ବ୍ଲକ ରେ ‘ସର୍ବଜନ ସ୍ୱାସ୍ଥ୍ୟ ମନ’: ଗର୍ଭବତୀ ଓ ସ୍ତନ୍ୟପାନକାରୀ ମା’ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ
ବରଗଡ଼, ୨୦/୦୧ ( ଦିନେଶ ବେହେରା ) : ବରଗଡ଼ ଜିଲ୍ଲାର ବରପାଲି ଓ ସୋହେଲା ବ୍ଲକରେ ଗର୍ଭବତୀ ଏବଂ ସ୍ତନ୍ୟପାନକାରୀ ମା’ମାନଙ୍କ ମାନସିକ ସ୍ୱାସ୍ଥ୍ୟ ସଚେତନତାକୁ କେନ୍ଦ୍ର କରି ‘ସର୍ବଜନ ସ୍ୱାସ୍ଥ୍ୟ ମନ’ ନାମକ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିକଟସ୍ଥ ଗ୍ରାମଗୁଡ଼ିକରୁ ଆସିଥିବା ମା’ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା—ଗର୍ଭାବସ୍ଥା ସମୟରେ ଓ ପ୍ରସବ ପରେ ହେଉଥିବା ମାନସିକ ସମସ୍ୟା, ତାହାର ପରିଣାମ ଓ ପ୍ରତିକାର ଉପରେ ସଚେତନତା ସୃଷ୍ଟି କରିବା। ମନୋବିଜ୍ଞାନ ବିଶେଷଜ୍ଞ ଶ୍ରୀ ସୌମ୍ୟରଞ୍ଜନ ପାଲଙ୍କ ଦ୍ୱାରା ପରିଚାଳିତ ସତ୍ରରେ ଗର୍ଭବତୀ ଓ ପ୍ରସ୍ତୁତି ମା’ମାନେ ସାମାନ୍ୟତଃ ସମ୍ମୁଖୀନ ହେଉଥିବା ଉତ୍କଣ୍ଠା, ଚାପ, ଅନିଦ୍ରା ଓ ମନୋଦୁଃଖ ଭଳି ସମସ୍ୟାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସେ ସହଜ ଓ ବ୍ୟବହାରିକ ପଦ୍ଧତି ମାଧ୍ୟମରେ ଚିନ୍ତା ପରିଚାଳନା, ସକାରାତ୍ମକ ଚିନ୍ତନ ଓ ମନସିକ ସନ୍ତୁଳନ ରକ୍ଷା କରିବାର ଉପାୟ ବିଷୟରେ ମା’ମାନଙ୍କୁ ପରାମର୍ଶ ଦେଇଥିଲେ। ଅଂଶଗ୍ରହଣକାରୀମାନଙ୍କ ପାଇଁ ଧ୍ୟାନ ଓ ଶିଥିଳତାମୂଳକ କାର୍ଯ୍ୟକଳାପ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଅବଧିରେ ଦୈନନ୍ଦିନ ଜୀବନରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରଭାବକୁ ଉଜାଗର କରୁଥିବା ସଚେତନତାମୂଳକ ଭିଡିଓ ପ୍ରଦର୍ଶିତ କରାଯାଇ, ମା’ମାନଙ୍କୁ ମାନସିକ ସୁସ୍ଥତା ପ୍ରତି ଆଗ୍ରହୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସଂଯୋଜକ ଶ୍ରୀମତୀ ଅଦିତି ଜାନା, ପର୍ଯ୍ୟବେକ୍ଷକ ଶ୍ରୀ ଯଶୋବନ୍ତ ପୂଜାରୀଙ୍କ ସହ କ୍ଷିରୋଦ୍ରୀ ପଧାନ, କ୍ଷିରସିନ୍ଧୁ ଭୋଇ, ପ୍ରହଲ୍ଲାଦ ପାଣିଗ୍ରାହୀ, ଆଲୋକ ମେହେର, ଘନଶ୍ୟାମ ଭୋଇ ଓ ମନୋଜ ସାହାଙ୍କ ସହଯୋଗରେ ସଫଳ ଭାବେ ସଂଯୋଜିତ ହୋଇଥିଲା। ଗର୍ଭବତୀ ଓ ପ୍ରସ୍ତୁତି ମା’ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତାକୁ ପ୍ରୋତ୍ସାହନ ଦେଇ ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଭାବେ ପରିଗଣିତ ହେଉଛି।